ଭୁବନେଶ୍ବର: ମହାମାରୀର ପ୍ରାଦୁର୍ଭାବ ରୋକିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରେ ଦେଶକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ଘୋଷଣା କରିଥିଲେ । ଯାହା ଫଳରେ ଜୀବନ ଜୀବିକା ଠପ ହୋଇପଡିଲା । ସ୍କୁଲରେ ତାଲା, ଘରୋଇ ସଂସ୍ଥାରେ ତାଲା, ସରକାରୀ ଅଫିସରେ ବି ତାଲା । ଫଳରେ ଘରୋଇ ହିଂସା ବଢିବାରେ ଲାଗିଲା । ତେବେ ଏନେଇ ଅଭିଯୋଗ ବଢିଥିଲେ ମଧ୍ୟ ଲକଡାଉନ ପାଇଁ ରିପୋର୍ଟରେ ତାହା ଉଲ୍ଲେଖ ନାହିଁ ।
ବଢୁଛି ଘରୋଇ ହିଂସା । ଲକଡାଉନ ପାଇଁ ଉପୁଜୁଛି ସମସ୍ୟା । ଘର ଭିତରେ ପରିବାର ମଧ୍ୟରେ ଝଗଡା, ମନ ମାଳିନ୍ୟ, ମତାନ୍ତର । ସ୍ବାମୀ ସ୍ତ୍ରୀ ମଧ୍ୟରେ ଫାଟ । ବିବାହର ପ୍ରତିଶ୍ରୁତି ଦେଇ ଲିଭଇନରେ ଧୋକା । ଏପରିକି ଅର୍ଥନୈତିକ ସମସ୍ୟା, ପାରିବାରିକ ବିବାଦ, ଜମିବାଡି ଝଗଡା ଭଳି ଆସୁଛି ଅନେକ ସଙ୍ଗୀନ ଅଭିଯୋଗ । ହେଲେ ଲକଡାଉନ ପାଇଁ ଫାଇଲ ହୋଇପାରୁନି ଅନେକ ରିପୋର୍ଟ । ଗତ ଲକଡାଉନ ପିରିୟଡ ମଧ୍ୟରେ ରାଜଧାନୀର 21 ଥାନା ଅଞ୍ଚଳ ମାନଙ୍କରେ ଫୋନକଲ ସହ ସିଧସଳଖ ଅଭିଯୋଗ ଆସୁଛି । ହେଲେ ଅନେକ ଅଭିଯୋଗ 'ମାଧ୍ୟମ' କାଉନସେଲିଂ ଜରିଆରେ ହୋଇଯାଉଛି ଫଇସଲା । ଗତ ଜାନୁଆରୀ ରୁ ଏଯାବତ ପାଖାପାଖି 127ଟି କେସର ଫଇସଲା କରିଛି 'ମାଧ୍ୟମ' । ଯାହା କମିଶନରେଟ ପୋଲିସର ଘରୋଇ ହିଂସା ଅଭିଯୋଗର କାଉନସେଲିଂ ସେଣ୍ଟର ।
ଯେଉଁ କେସ 'ମାଧ୍ୟମ' ଜରିଆରେ ସମାଧାନ ହୋଇପାରୁନି ତାହାର ଥାନାରେ ରିପୋର୍ଟ ହେଉଛି । ତ୍ବରିତ ପ୍ରକ୍ରିୟାରେ ନୋଡାଲ ଅଫିସରଙ୍କ ଜରିଆରେ ଅଭିଯୋଗକାରୀଙ୍କ ଉପରେ ଯେପରି ଅତ୍ୟାଚାର ନହୁଏ ସେଥିପ୍ରତି ନଜର ରଖାଯାଉଛି। 'ମାଧ୍ୟମ' ଦ୍ବାରା ସାମାଧାନ ସମ୍ଭବ ନହେଲେ ଥାନାରେ ରିପୋର୍ଟ କରି ଆଇନର ଆଶ୍ରୟ ନିଆଯାଉଛି । ତେବେ କମିସନରେଟର ତଥ୍ୟ କହୁଛି ଲକଡାଉନ ପିରିୟଡରେ ଭୁବନେଶ୍ବରରେ ଅନେକ ଅଭିଯୋଗ ଆସିଛି । ହେଲେ ଆପୋଷ ସମାଧାନ ପରେ ମୋଟ 54ଟି ଘରୋଇହିଂସା ଜନିତ କେସ ଥାନାରେ ରିପୋର୍ଟ ହୋଇଛି । ଯାହାକି ତୁଳନା କଲେ 2019 ବର୍ଷଠାରୁ କମ ରହିଛି । କାରଣ ଗତ ବର୍ଷ ଏହି ସମୟ ମଧ୍ୟରେ 68 ଟି ଘରୋଇ ହିଂସା ଜନିତ ଥାନାରେ ରିପୋର୍ଟ ହୋଇଥିଲା ।
ତେବେ ଘରୋଇହିଂସା ଜନିତ ଅଭିଯୋଗକୁ ଦୃଷ୍ଟିରୁ ରଖି ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ହେଲ୍ପଲାଇନ ଜାରି କରାଯାଇଥିଲା । 600 ଟେଲିଫୋନ ଯୋଗେ ଘରୋଇ ହିଂସା ଉପରେ ନଜର ରଖିବାକୁ ଲକଡାଉନ ସମୟରେ ବ୍ୟବସ୍ଥା ହୋଇଥିଲା ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ