ଭୁବନେଶ୍ବର: ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ିର କଳେବର ବୃଦ୍ଧି କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଛାମୁଆ ସଙ୍ଗଠନକୁ ସକ୍ରିୟ କରିବା ଲାଗି ଗତକାଲି(ଶନିବାର) ପର୍ଯ୍ୟବେକ୍ଷକ ଅଦଳବଦଳ ସାଙ୍ଗକୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହିଳା ବିଜେଡ଼ିର ଏକ ଜୁମ୍ବୋ ଟିମ୍ ଗଠନ କରିଛନ୍ତି ବିଜେଡି ସଭାପତି । ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଓ ବିତର୍କ ଆରମ୍ଭ ହୋଇଯାଇଛି । ଏହି ଜୁମ୍ବୋ ମହିଳା ବ୍ରିଗେଡ଼ରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତ୍ରୀଙ୍କ ବଦଳରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦେଇଛି ଦଳ । ସେପଟେ ଏହି ଟିମରେ ସାମିଲ ହୋଇନଥିବାରୁ ଅନେକ ବରିଷ୍ଠ ନେତ୍ରୀ କ୍ଷୁବ୍ଧ ହୋଇଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍ ରହିଛନ୍ତି । 3 ଜଣିଆ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛି ଦଳ । ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ରାଜନୀତିରୁ ସିଧାସଳଖ ରାଜ୍ୟ ରାଜନୀତିକୁ ଲମ୍ଫ ମାରିଛନ୍ତି ସୁଭାଶିନୀ ଜେନା । ଆଉ ଏବେ ସୁବାସିନୀଙ୍କୁ ନେଇ ଜିଲ୍ଲା ବିଜେଡି ଭିତରେ ଚର୍ଚ୍ଚା ଜୋର ଧରିଛି ।
କିଏ ସେଇ ସୁବାସିନୀ ଜେନା ? କାହିଁକି ସୁବାସିନୀ ଜେନାଙ୍କୁ ନେଇ ଏତେ ଚର୍ଚ୍ଚା ଓ ଆଲୋଚନା । କହି ରଖିବାକୁ ଚାହୁଁଛୁ ସୁବାସିନୀ ଆଦୌ ଅଜଣା, ଅଶୁଣା ବ୍ୟକ୍ତିତ୍ୱ ନୁହଁନ୍ତି । ସେ ହେଉଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ଧର୍ମପତ୍ନୀ । ଏହାଛଡା ସୁବାସିନୀଙ୍କ ନିଜସ୍ଵ ପରିଚୟ ରହିଛି । ବାଲେଶ୍ଵରରେ ଜଣେ ସମାଜସେବୀ ଭାବେ ସେ ଖୁବ୍ ପରିଚିତ । ଏହାଛଡା ସେ ରେବତୀ ପତ୍ରିକାର ସମ୍ପାଦିକା ।
ବାଲେଶ୍ଵର ଜିଲ୍ଲା ରାଜନୀତିରେ ରହିଛି ସୁବାସିନୀଙ୍କ ବେଶ୍ ଦବଦବା । 2019 ସାଧାରଣ ନିର୍ବାଚନ ହେଉ ଅବା ବାଲେଶ୍ବର ଉପ-ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ସର୍ବାଧିକ ଚର୍ଚ୍ଚାରେ ଥିଲେ ସୁବାସିନୀ । ସମୀକରଣ ଦୃଷ୍ଟିରୁ ସେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ହେଲେ ପ୍ରତ୍ୟେକ ନିର୍ବାଚନ ପ୍ରଚାରରେ ତାଙ୍କୁ ଦେଖିବାକୁ ମିଳେ ।
କୁହାଯାଉଛି କି ସୁବାସିନୀଙ୍କ ଏହି ଉତ୍ଥାନ ପଛରେ ରହିଛି ସ୍ୱାମୀ ରବୀନ୍ଦ୍ରଙ୍କ ପ୍ରଚ୍ଛନ୍ନ ରାଜନୈତିକ ଗୋଟିଚାଳନା ! କାରଣ ସ୍ୱଳ୍ପ ଦିନ ହେଲା ବିଜେଡିରେ ଯୋଡି ହୋଇଥିବା ସୁଭାଶିନୀଙ୍କୁ ସିଧାସଳଖ ମହିଳା ବ୍ରିଗେଡ଼ର କାର୍ଯ୍ୟକାରୀ ସଭାପତି ହେବା ଏମିତି କିଛି ସନ୍ଦେହ ଦେଉଛି । ଜିଲ୍ଲାସ୍ତରରେ କୌଣସି ପଦପଦବୀରେ ନଥିବା ସୁବାସିନୀ ରାଜ୍ୟକୁ ପ୍ରମୋଟ ହେବା ଦଳୀୟ ନେତାଙ୍କର ହଜମ ହେଉନି । ଅନ୍ୟପଟେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସେ ନିକଟ ସମ୍ପର୍କୀୟ ବୋଲି ଏକଥା କାହାକୁ ଅଛପା ବି ନାହିଁ ।
ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ଥିବା ରବୀନ୍ଦ୍ରଙ୍କୁ ରାଜ୍ୟସଭା ପଠାଯିବା ନେଇ ବେଶ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ଚର୍ଚ୍ଚା ଚର୍ଚ୍ଚାରେ ରହିଗଲା । ସେହିପରି ବାଲେଶ୍ଵର ଉପ ନିର୍ବାଚନରେ ରବୀନ୍ଦ୍ର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ସମୀକରଣକୁ ବିଗାଡି ଦେଇଥିଲେ ତତ୍କକାଳନୀ ବିଜେଡିର ପୂର୍ବତନ ବିଧାୟକ ତଥା ଏବେର ବିଜେପି ନେତା ଜୀବନ ପ୍ରଦୀପ ଦାଶ ଓ ଜିଲ୍ଲାର ଅନ୍ୟ ବିଧାୟକଙ୍କ ସହ ଥିବା ରବୀନ୍ଦ୍ରଙ୍କ ତିକ୍ତ ସମ୍ପର୍କ । ହେଲେ ତାଙ୍କ ନିକଟତର କୁହାଯାଉଥିବା ସ୍ୱରୂପ ଦାସଙ୍କୁ ଦଳ ଟିକେଟ ରବୀନ୍ଦ୍ରଙ୍କୁ ବିଜେଡି ମ୍ୟାନେଜ କରିଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ରବୀନ୍ଦ୍ରଙ୍କ ପ୍ରତିନିଧି ଭାବେ ସୁବାସିନୀଙ୍କୁ ଦେଖିବାକୁ ମିଳେ । କାରଣ ରବୀନ୍ଦ୍ର ନିଜର ଲିଗାସି ସୁବାସିନୀଙ୍କ ଜରିଆରେ ବଢାଉଥିବା ଚର୍ଚ୍ଚା ହୁଏ ।
ଚିଟଫଣ୍ଡ ସଂସ୍ଥା ସହ ସମ୍ପର୍କ ନେଇ ଗତ କିଛିବର୍ଷ ହେଲା CBI ସ୍କାନରେ ରହିଆସିଛନ୍ତି ରବୀନ୍ଦ୍ର । ଭୁବନେଶ୍ୱର CBI କାର୍ଯ୍ୟାଳୟରେ ରବୀନ୍ଦ୍ରଙ୍କୁ ଅତୀତରେ ଦେଖିବାକୁ ମିଳିଛି । ଏମିତି କି ବାଲେଶ୍ଵର ମାନସିଂ ବଜାରସ୍ଥିତ ରବୀନ୍ଦ୍ରଙ୍କ ଘରେ 2016ରେ ରେଡ଼ କରିଥିଲା CBI । ସାମ୍ପ୍ରତିକ ରାଜନୈତିକ ପାଣିପାଗକୁ ଦୃଷ୍ଟିରେ ରଖି ନିଜର ପ୍ରତ୍ୟକ୍ଷ ରାଜନୀତି ସୁବାସିନୀଙ୍କ ଜରିଆରେ ରବୀନ୍ଦ୍ର ବଢାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଯାହାର ଫଳ ସ୍ୱରୂପ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କାର ଦାସ, ଇଟିଭି ଭାରତ