ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପରେ ସରଗରମ ହେଉଛି ରାଜ୍ୟ ରାଜନୀତି । ଘନାଉଛି ରାଜନୈତିକ ପାଣିପାଗ । କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବୀଟ କରି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଆସନ୍ତା ବିଧାନସଭାରେ ଏ ନେଇ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ସେପଟେ ବିଜେଡି କହିଛି, କୋଟିଆ ହେଉଛି ଓଡ଼ିଶାର ଅବିଛେଦ ଅଙ୍ଗ । ସୀମା ରକ୍ଷାରେ ସାମିଲ ହେବା ପ୍ରତ୍ୟେକ ଓଡିଆର ଦାୟିତ୍ବ । ମିଳିତ ଭାବେ କୋଟିଆକୁ ଫେରେଇ ଆଣିପାରିବା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ।
କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବୀଟ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାରଙ୍କୁ କରିଛନ୍ତି ଶାଣିତ ଆକ୍ରମଣ । ଆନ୍ଧ୍ର ଓଡ଼ିଶା ଭୌଗୋଳିକ ସୀମାରେ ପଶି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସମୟ ଥାଉ ଥାଉ ନେଡି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ସତର୍କ କରିଛନ୍ତି ଧର୍ମେନ୍ଦ୍ର । ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ସତର୍କ କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀଙ୍କ ଟ୍ବୀଟକୁ ସମର୍ଥନ କରିଛନ୍ତି ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର । ଦକ୍ଷିଣ ଓଡିଶାର 5 ଟି ଜିଲ୍ଳାରେ ଆନ୍ଧ୍ରପ୍ରଦେଶରେ ଧସେଇ ପଶି ନିର୍ବାଚନ କରୁଛି । ଏ ନେଇ ଦୀର୍ଘଦିନ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିଥିଲା ଆନ୍ଧ୍ର । ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରି ନିର୍ବାଚନ କଲା । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହା ସମ୍ଭବ ହେଲା । ଗୁଇନ୍ଦା ବିଭାଗ ଫେଲ ଯୋଗୁଁ ଏହା ହୋଇଛି । ବହୁ ବିଳମ୍ବରେ କେବଳ କୋଟିଆ ପାଇଁ କୋର୍ଟ ଗଲେ । ସରକାର ଆଗୁଆ ପଦକ୍ଷେପ ନେଇଥିଲେ, ଏ ଅବସ୍ଥା ରାଜ୍ୟ ବାସୀ ଦେଖିବାକୁ ମିଳିଲା । ସରକାର ସର୍ବଦଳୀୟ ବୈଠକ ଡାକି ସ୍ଥାନୀୟ ପ୍ରତିନିଧିମାନଙ୍କୁ ସାମିଲ କରି ଠୋସ ବ୍ୟବସ୍ଥା କରନ୍ତୁ ବୋଲି ଭୃଗୁ ଦାବି କରିଛନ୍ତି ।
ସେପଟେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆନ୍ଧ୍ର ଓଡିଶାରେ ନିର୍ବାଚନ କଲା । ଆମ ଜିଲ୍ଲାପାଳ ଓ ଏସପି କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ? ସେପଟେ ସୀମା ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହିଛନ୍ତି ସୁରେଶ ରାଉତରାୟ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ