ଭୁବନେଶ୍ବର: ଓଡିଶା ସରକାର ଉଚିତ ଢଙ୍ଗରେ କୋରୋନାର ମୁକାବିଲା କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କୋରୋନା ମୁକାବିଲା ପାଇଁ ଓଡିଶା ସରକାର କେତେକ ଭଲ ପଦକ୍ଷେପ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ଭୟଭୀତ ନହୋଇ ସମବେତ ଭାବେ ଏହାର ସମ୍ମୁଖୀନ କରିବାକୁ ସେ ଆହ୍ବାନ କରିଛନ୍ତି । କୋରୋନା ସତର୍କତା ଓ ବିଭିନ୍ନ ପଦକ୍ଷେପ ଉପରେ ଏକ ଭିଡିଓ ଜାରି କରି କେନ୍ଦ୍ରମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋରୋନା ପାଇଁ ବିଶ୍ବ ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଏହା ବିଶ୍ବଯୁଦ୍ଧ ଠୁ ବି ଅଧିକ । ପ୍ରକୃତିର ଏହି ଯୋଜନାକୁ ଆମେ ସମସ୍ତେ ମିଳିମିଶି ସାମ୍ନା କରିବା । ଭାରତ ସରକାର ଓ ଓଡିଶା ସରକାର କେତେକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଓଡିଶାର ଲୋକମାନେ ଭୟଭୀତ ନ ହୋଇ ଜନ ସଚେତନତା କରିବାକୁ ପଡିବ । ଏହା ସହ ଆମ ପରିବାରର ବିଦେଶରୁ ଆସୁଥିବା ଲୋକ ମାନଙ୍କୁ ସରକାରୀ ୱେବସାଇଟରେ ପଞ୍ଜୀକରଣ କରିବା ଆବଶ୍ୟକ । ସେଥିରେ ଯଦି କେହି କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ତେବେ ଭୟଭୀତ ନହୋଇ ସରକାରୀ ଗାଇଡଲାଇନ ଆଧାରରେ ଚିକିତ୍ସା ସୁବିଧା ଯୋଗାଇ ଦେବା ଆବଶ୍ୟକ । କେବଳ ବିଦେଶରୁ ଆସିଥିବା ବ୍ୟକ୍ତି ନୁହନ୍ତି । ଏପରିକି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନେ ମଧ୍ୟ ନିଜର ଚିକିତ୍ସା କରିବା ଦରକାର ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆହ୍ବାନ କରାଯାଇଥିବା ‘ଜନତା କର୍ଫ୍ୟୁ’କୁ ପାଳନ କରିବାକୁ ସେ କରିଛନ୍ତି । ଏହା ସହ ସ୍ବାସ୍ଥ୍ୟସେବାରେ ନିଯୁକ୍ତ ଥିବା କର୍ମଚାରୀ ମାନଙ୍କ ପାଇଁ 22 ତାରିଖ ସନ୍ଧ୍ୟା 5ରେ ଶଙ୍ଖ, ଘଣ୍ଟା ବଜାଇ ସେମାନଙ୍କୁ ଉତ୍ସାହିତ କରିବାକୁ ସେ ଅପିଲ କରିଛନ୍ତି ।
ଏହି ପରିସ୍ଥିତିରେ ଭିଡକୁ ନଯିବାକୁ ଦରକାର ଏବଂ ସବୁ ପ୍ରକାର ଉତ୍ସବକୁ ବାତିଲ କରିବା ଆବଶ୍ୟକ । 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏଥିପାଇଁ ବେଶି ସତର୍କ ରହିବାର ଆବଶ୍ୟକତା ରହିଛି । ସେହିପରି ଯୁବକ, ଗୁରୁତ୍ବପୂର୍ଣ୍ଣ ସେବା ଗୁଡିକର କର୍ମଚାରୀ, ସାମ୍ବାଦିକ ଓ ସମସ୍ତେ ମିଳିମିଶି ଏହାର ସମ୍ମୁଖୀନ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ