ଭୁବନେଶ୍ବର: ମୁହଁରେ ରଙ୍ଗ ପାଉଡର ମାଖୀ ରାତି ଅନିଦ୍ରା ରହି ନିଜର ଦୁଃଖ କୁ ହସି ହସି ପିଇ ଯିଏ ଅନ୍ୟର ମୁହଁରେ ହସ ଫୁଟାଇ ସେ ହେଉଛି କଳାକାର। ଆଖିରେ ଗ୍ଲଲିସେରିନ ମାରି ମଞ୍ଚରେ ମିଛି ମିଛିକା ଲୁହ ଝରାଉଥିବା ସେହି କଳାକାର ଏବେ ବିନା ଗ୍ଲିସେରିନ ସତରେ କାନ୍ଦୁଛି। ନିଜେ ବଞ୍ଚିବା ସହ ନିଜ ପରିବାର ଚଳାଇବା ପାଇଁ ସେ ଆଜି ଅସହାୟ ହୋଇପଡିଛି।
ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀ ଯୋଗୁଁ ସବୁକିଛି ବନ୍ଦ ରହିଛି। ଏଥିପାଇଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ଅନେକଙ୍କ ପେଟପାଟଣାକୁ ଦାନା ଯୋଗାଉଥିବା ଜୀବନ ଜୀବିକା ମଧ୍ୟ ବନ୍ଦ ହୋଇଯାଇଛି। ଆଉ ଏଥିରେ ସବୁଠାରୁ ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି ଖାସ କରି ଯାତ୍ରା ଭଳି ସିଧାସଳଖ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଉଥିବା କଳାକାର ଓ ଅନୁଷ୍ଠାନ।
ସରକାରଙ୍କ କୌଣସି ପ୍ରକାର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ନଥିବା ଏହି ପରିବାର କୌଣସି ସହାୟତା ପାଉ ନଥିବା ବେଳେ କାମ ବନ୍ଦ ଯୋଗୁ ମାଲିକମାନଙ୍କ ଠାରୁ ପାରିଶ୍ରମିକ ମିଳିବାର କିଛି ବ୍ୟବସ୍ଥା ନାହିଁ।ତେଣୁ ଏହି ଅସମୟରେ ସରକାର ସେମାନଙ୍କୁ ସହାୟତାର ହାତ ବଢାଇବାକୁ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ସଙ୍ଘ ପକ୍ଷରୁ ମନ୍ତ୍ରୀ,ଅଧିକାରୀ ମାନଙ୍କୁ ସାକ୍ଷାତ କରିବା ସହ ଦାବି ପତ୍ର ପ୍ରଦାନ କରିଥିବା କହିଛନ୍ତି ଅନୁଷ୍ଠାନ ର କର୍ମକର୍ତ୍ତାମାନେ।ଯେଉଁଥିରେ ଯାତ୍ରା ଜଗତର ବହୁ ବିଶିଷ୍ଟ ଓ ବରିଷ୍ଠ କଳାକାରମାନେ ରହିଛନ୍ତି। ଯେଉଁଥିରେ ମୁଖ୍ୟ ଦାବି ରହିଛି ସରକାର ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ କଳାକାର ମାନଙ୍କୁ ମାସିକ 10 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରନ୍ତୁ।ଯାତ୍ରା ପ୍ରଯୋଜକ ମାନଙ୍କୁ ରିହାତି ଦରରେ ଲୋନ ପ୍ରଦାନ।
ଯାତ୍ରା କଳାକାର ମାନଙ୍କୁ ଲୋକକଳାକାର ମାନ୍ୟତା ପ୍ରଦାନ ଓ ଯେବେ ଠାରୁ ସାମାଜିକ ସଭା ସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବାର ଅନୁମତି ଦେବେ ସେବେଠାରୁ ଯାତ୍ରା ପରିବେଷଣ ପାଇଁ ଅନୁମତି ପ୍ରଦାନ କରିବା। ଏନେଇ ସେମାନଙ୍କ ଆଲୋଚନା ସକାରାତ୍ମକ ଥିବା ବେଳେ ଯଦି ତାଙ୍କ ର ଦାବି ପୂରଣ ନ କରନ୍ତି ତେବେ ସଙ୍ଘ ପକ୍ଷରୁ ବିକଳ୍ପ ପନ୍ଥା ସ୍ୱରୂପ ଜୀବନ ଦେବାକୁ ପଛାଇବେ ନାହିଁ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି ସଙ୍ଘ ର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ