ଭୁବନେଶ୍ବର: ଏଣିକି ପ୍ରତିବର୍ଷ ବିଜୁ ଜୟନ୍ତୀକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଏହି ଅବସରରେ ଦେଶର ଜଣେ ଦକ୍ଷ ପାଇଲଟ୍କୁ ସମ୍ମାନିତ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ରେ ବିଜୁ ବାବୁଙ୍କ ଟ୍ରେନିଂ ଦେଶର ବିମାନ ଚାଳନା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜୁ ବାବୁଙ୍କର ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା । ସେ ରାଜନୀତି ହେଉ, ବା ବିମାନ ଚାଳନା । ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାଏ । ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ । ଇଣ୍ଡୋନେସିଆର ସ୍ବାଧିନତା ସଂଗ୍ରାମ ହେଉ ବା ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟଙ୍କ ଆକ୍ରମଣ ସବୁ କ୍ଷେତ୍ରରେ ସେ ତାଙ୍କର ଅସାମାନ୍ୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଯାଇଛନ୍ତି ।
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ । ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି କ୍ଳବ ।
କ୍ଲବର ସଭାପତି ଡଃ ବି.ବି.ଏଲ୍ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହା ସୂଚନା ଦେଇଛନ୍ତି । ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା । ଇଗଲ୍ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା । ଆଉ ତାଙ୍କର ସେହି ସ୍ବପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।
କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ । ଏଥିପାଇଁ ସେ ବ୍ରିଟିଶ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍ ମଧ୍ୟ ଯାଇଥିଲେ । ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ବବିଦିତ । ଏହାସହିତ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ସେ ରୁଷିଆର ରେଡ୍ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ । ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡଃ. ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ । ସେ ଆମକୁ ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକକୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେଉଥିଲେ । ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ମଧ୍ୟ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ସଭାପତି ଡଃ ବି.ବି.ଏଲ ମଧୁକର ଏବଂ ସଂପାଦକ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ