ଭୁବନେଶ୍ବର: ଦେଶରେ ନାହିଁ ସାର ଅଭାବ । ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ । ଚାଷୀମାନଙ୍କୁ ଯଥେଷ୍ଟ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସେ ନଭେମ୍ବର ମାସର ସାର ଉତ୍ପାଦନ ଲକ୍ଷ୍ୟ ସମୀକ୍ଷା କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇବ । ୪୧ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବା ବେଳେ ୭୬ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବ । ଅନୁରୂପ ଭାବେ ୧୮ ଲକ୍ଷ ମେଟ୍ରିକ ଟନ୍ ଡିଏପି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଚାହିଦା ପରିମାଣ ୧୭ ଲକ୍ଷ ମେଟ୍ରିକ ଟନ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୧୫ ଲକ୍ଷ ମେଟ୍ରିକ ଟନ୍ ଏନପିକେର ଚାହିଦା ରହିଥିବା ବେଳେ ୩୦ ଲକ୍ଷ ମେଟ୍ରିକ ଟନ୍ ଏନପିକେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସାର ମହଜୁଦ କରି ନରଖିବା ଲାଗି କେନ୍ଦ୍ରମନ୍ତ୍ରୀ ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି । ଗୁଜବ ସୃଷ୍ଟିକାରୀଙ୍କ ପ୍ରତି ଧ୍ୟାନ ନଦେବା ପାଇଁ ସେ ନିବେଦନ କରିଛନ୍ତି । ଗୁଜବକୁ ଢାଲ କରି ସାର କଳାବଜାର କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି । ଦେଶରେ ଯଥେଷ୍ଟ ପରିମାଣରେ ସାରା ଉତ୍ପାଦନ ଏବଂ ପରିବହନ ଉପରେ କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ