ଭୁବନେଶ୍ବର: ମହିଳା ଏସିଆ କପ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳରେ ଗୋଲକିପର ସବିତା ପୁନିଆଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ସେପଟେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ଦଳରେ ଉପ ଅଧିନାୟିକା ଦାୟତ୍ବ ଦିଆଯାଇଛି । ଦଳରେ ଟୋକିଓ ଅଲମ୍ପିକ୍ସରେ ଦଳରେ ସାମିଲ ଥିବା ୧୬ ଜଣ ଖେଳାଳି ସାମିଲ ରହିଛନ୍ତି ।
![deep grace ekka became vice captain for upcoming Hockey Womens Asia Cup team](https://etvbharatimages.akamaized.net/etvbharat/prod-images/14169061_846_14169061_1641993810899.png)
ଦୀପଗ୍ରେସ ଏକ୍କାଙ୍କ ସହ ଓଡ଼ିଆ ଝିଅ ମାରିଆନା କୁଜୁରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଜାନୁଆରୀ 21 ତାରିଖରୁ 28 ତାରିଖ ଯାଏଁ ଓମାନର ମସ୍କାଟରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଡ଼ିଫେଣ୍ଡିଂ ଚମ୍ପିଆନ୍ ଭାରତ ସହ ଚୀନ, ଇଣ୍ଡୋନେସିଆ, ଜାପାନ, ମାଲେସିଆ, ସିଙ୍ଗାପୁର, ଥାଇଲଣ୍ଡ, ସାଉଥ କୋରିଆ ପ୍ରମୁଖ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ଟି ଟିମ୍ ୨୦୨୨ FIH ହକି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିବେ ।
ଆହତ ଜନିତ ସମସ୍ୟା ଯୋଗୁଁ ଏହି ଦଳରୁ ଅଧିନାୟକ ରାନୀ ରାମପାଲଙ୍କୁ ବିଶ୍ରାମ ଦିଆଯାଇଛି । ଜାନୁଆରୀ ୨୩ ତାରିଖରେ ଭାରତର ତାର ପ୍ରଥମ ମ୍ୟାଚ୍ରେ ଜାପାନକୁ ଭେଟିବ । ଟୁର୍ଣ୍ଣାମେଣ୍ଟ ପାଇଁ ଦଳକୁ ପୁଲ୍-ଏ'ରେ ସ୍ଥାନ ମିଳିଛି । ଜାନୁଆରୀ ୨୬ ଓ ୨୮ ତାରିଖରେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ଦୁଇଜଣ ଗୋଲକିପର, ୪ ଜଣ ଡିଫେଣ୍ଡର, ୬ ଜଣ ମିଡ୍ ଫିଲଡର ଓ ୫ ଜଣ ଫରୱାର୍ଡ୍କୁ ସାମିଲ କରାଯାଇଛି । ଗତ ୨୦୧୭ରେ ଖେଳାଯିଆଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚୀନକୁ ୫-୪ ପେନାଲ୍ଟି ସୁଟ୍ଆଉଟରେ ମାତ୍ ଦେଇଥିଲା ଭାରତ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ