ଭୁବନେଶ୍ବର: ଏଣିକି ଗ୍ରାମାଞ୍ଚଳରେ ପ୍ରତି ଘରେ ଘରେ ଲାଗିବ ପାଣି ଟ୍ୟାପ । ଲୋକଙ୍କୁ ଆଉ ଘର ବାହାରକୁ ଆସି ପାଣି ସଂଗ୍ରହ କରିବାକୁ ପଡିବ ନାହିଁ । ଆଗାମୀ 2024 ସୁଦ୍ଧା ଘରେ ଘରେ ପାଣି ଟ୍ୟାପ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀଳଜଳ ଯୋଗାଣ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ ଏହି ନିଷ୍ପତ୍ତି ହୋଇଛି ।
ରାଜ୍ୟ ସରକାର ବହୁପ୍ରତିକ୍ଷିତ ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲ୍ଲା ସ୍ତରରେ ଗ୍ରାମାଞ୍ଚଳ ଜଳଯୋଗାଣର କି ସ୍ଥିତି ରହିଛି ଚଳିତମାସ ଶେଷ ସୁଦ୍ଧା ସେ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଗାଁ ଗହଳିର ଲୋକଙ୍କ ଘରେ ପାଣି ଟ୍ୟାପ ସ୍ଥାପନ ପୂର୍ବରୁ ସେହିସବୁ ଅଞ୍ଚଳରେ ଥିବା ପାରମ୍ପରିକ ଜଳ ଯୋଗାଣ ବ୍ୟବସ୍ଥାର ସବିଶେଷ ବିବରଣୀ ସଂଗ୍ରହ କରାଯାଉଛି । ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ସହିତ ନଳକୂପ, ଗଭୀର କୂପ ଆଦିରୁ ଯୋଗାଯାଉଥିବା ଜଳର ତାଲିକା ମିଳିବା ପରେ ସେହିସବୁ ସ୍ଥାନରେ ଲୋକଙ୍କ ଆବଶ୍ୟକତାକୁ ଚାହିଁ କିଭଳି ସେମାନଙ୍କ ଘରେ ଜଳ ପହଞ୍ଚିବ ସେ ସଂକ୍ରାନ୍ତରେ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ । ଇତି ମଧ୍ୟରେ ଚାରିଟି ଜିଲ୍ଲାରେ ଏହି ଯୋଜନା ଚୂଡାନ୍ତ ହୋଇସାରିଛି ।
ସେହିସବୁ ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ ଓ ନୂଆପଡା । ତେବେ ପୂର୍ବରୁ ପାନୀୟଜଳ ଯୋଗାଣ ପାଇଁ ସରକାର ପ୍ରତ୍ୟେକ ଜିଲ୍ଲାକୁ ଅର୍ଥ ପ୍ରଦାନ କରୁଥିଲେ । ଏପରିକି ଖଣିଜ ଭିତ୍ତିକ ଜିଲ୍ଲାରେ ବିଭିନ୍ନ ସଂସ୍ଥାର ସିଏସ୍ଆରର ପାଣ୍ଠି କିମ୍ବା ଖଣିଜ ଉନ୍ନୟନ ପାଣ୍ଠିରୁ ଅର୍ଥ ଆସି ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିଲା ।
କିନ୍ତୁ ପ୍ରଥମଥର ପାଇଁ ରାଜ୍ୟ ସରକାର ଏଭଳି ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ଏହି ଯୋଜନାଲାଗି ରାଜ୍ୟ ସ୍ତରରେ ଏକକାଳୀନ ଅର୍ଥ ବରାଦ ହେବ । ଯାହା ଫଳରେ ଯୋଜନା ରୂପାୟନ କରିବା କ୍ଷେତ୍ରରେ ଆଉ ପ୍ରତିବନ୍ଧକ ରହିବନାହିଁ ବୋଲି କୁହାଯାଇଛି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏପରି ସ୍ଥଳରେ ଲୋକଙ୍କ ଘରେ ଘରେ ଜଳ ଯୋଗାଣ ଟ୍ୟାପ୍ ଖଞ୍ଜିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏକ ଅଭିନବ ଯୋଜନା ହୋଇଥିବାରୁ ତାହା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ଏହି ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ପାନୀୟଜଳ ନିର୍ଦ୍ଦେଶିକା ରୂପା ମିଶ୍ର, ଯନ୍ତ୍ରୀ ମୁଖ୍ୟ ରବିନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ