ଭୁବନେଶ୍ବର: କୁଆଁ କୁଆଁ ଡାକ ଶୁଣିବା ବଦଳରେ କୁନି ପିଲାକୁ ବିକିଦେଲା ବାପା । ନିଶା ପାଇଁ ସବୁ ସୀମା ଟପି ଅନ୍ୟ ହାତକୁ ଟେକିଦେଲା ଜନ୍ମକଲା ଛୁଆ । ଦାରିଦ୍ର୍ୟତା ନୁହେଁ ବରଂ ନିଶା ପାଇଁ ଶୈତାନ ପାଲଟିଗଲା ନିଷ୍ଠୁର ବାପା। ଆଉ ଶେଷରେ ନିଶା ପାଇଁ ରାଜଧାନୀରେ କିଭଳି ପିଲା ବିକ୍ରି ହେଉଥିଲା ତାହାର ପର୍ଦ୍ଦାଫାସ ହେଲା ।
ଏନେଇ କିଣା ବିକାର ଖବର ମିଡ଼ଆରେ ବାଜିଲା । ଉଦ୍ଧାର ହେଲା 10 ହଜାର ଟଙ୍କାରେ ବିକ୍ରି ଛୁଆ। 10 ଦିନର ନୁହେଁ ବରଂ ଛୁଆଟି ଥିଲା 6 ଦିନର। ଖାରବେଳ ନଗର ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ଼ଲାଇନ ଓ ସିଡବ୍ଲୁସି। ଶିଶୁ ଟିକୁ ଖାରବେଳ ନଗର ଥାନା ଅଞ୍ଚଳର ମାଳିସାହିର ଜଣେ ମହିଳା ସାମେଦୁନ ବିବି କିଣିଥିବା ଜଣାପଡ଼ିଛି । ଯିଏକି ତାଙ୍କ ସ୍ବାମୀ ଶେଖ୍ ସିଲଟୁ ଜରିଆରେ ପିଲାର ବାପା ସହ ଯୋଗାଯୋଗ କରିଥିଲେ ।
ତେବେ ପିଲାର ବାପା ଜଣେ ନିଶାଖୋର୍ ହୋଇଥିବା ଚାଇଲ୍ଡ ଲାଇନ ସଦସ୍ୟ ଜାଣିବାକୁ ପାଇଛନ୍ତି। ନିଶା ପାଇଁ ଛୁଆର ମା’ କୋଳରୁ ମାର ଅନିଚ୍ଛା ସତ୍ତ୍ବେ ଛଡାଇ ଆଣି ବିକ୍ରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏପରିକି ସେହି ବ୍ୟକ୍ତିର ତିନୋଟି ଛୁଆ ଥିବା ଚାଇଲଡ଼ ଲାଇନ ଜାଣିବାକୁ ପାଇଛି। ତେବେ ଏନେଇ ଖୁବଶୀଘ୍ର ଏତଲା ଦିଆଯିବ ବୋଲି ଚାଇଲ୍ଡ ଲାଇନ ପକ୍ଷରୁ ସୂଚନା ମିଳିଛି। ଜୁଭେନାଇଲ ଜଷ୍ଟିସ ଆକ୍ଟର ଧାରା 80 ଓ 81 ରେ ଗିରଫ ହୋଇପାରନ୍ତି ଅଟକ ମହିଳା। ତେବେ ଶିଶୁ ବିକ୍ରି କରିଥିବା ବାପା ଏଯାବତ ମିଳିନାହିଁ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ