ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୃତଦେହକୁ ନେଇପାରିବେନି ପରିବାର । ଝାରପଡାର 72 ବର୍ଷୀୟ ରୋଗୀଙ୍କ ଶବସତ୍କାର କରିବେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାରେ ଏପରି ନିର୍ଦ୍ଦେଶ ଥିବା ସୂଚନା ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ସେହିପରି କୋରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଗାଉଡ୍ଲାଇ୍ ଅନୁସାରେ ଏସବୁ କରାଯିବ ବୋଲି କୋରୋନାକୁ ନେଇ ଆଜିର ସାମ୍ବାଦିକ ସମ୍ମିଳନୀର ସେ କହିଛନ୍ତି ।
ଏହାସହ ରାଜ୍ୟରେ ମୋଟ 2212 ନମୂନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ ମୃତରୋଗୀଙ୍କୁ ମିଶାଇ ରାଜ୍ୟରେ 42 ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 39 ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ରାଜ୍ୟରେ 34 ଟି ସ୍ଥାନରେ କୋଭିଡ୍ ହସ୍ପିଟାଲ ପାଇଁ ପରିକଳ୍ପନା କରାଯାଇଛି । ବର୍ତ୍ତମାନ ସୁଦ୍ଧା 7ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ 1497 ଶଯ୍ୟା ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।
ତେବେ ବିଶ୍ବରେ 208ଟି ଦେଶରେ 1349889 ସଂକ୍ରମିତ ହୋଇଥିବାବେଳେ 74820ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଅନ୍ୟପଟେ ଭାରତରେ 4421ଜଣ ଆକ୍ରାନ୍ତ ଥିବାବେଳେ 114 ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି ।
ସେହିପରି କିଛି ନର୍ସଙ୍କୁ ଘରେ ପୂରାଇବାକୁ ଲୋକେ ଅମଙ୍ଗ ହେଉଥିବାବେଳେ ମଣିଷକୁ ଲକଡାଉନରେ ରଖନ୍ତୁ କିନ୍ତୁ ମାନବିକତାକୁ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ବାଗଚୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ