ଭୁବନେଶ୍ବର: ସମଗ୍ର ବିଶ୍ବରେ ମହାମାରୀ କୋରୋନାର ଭୟଙ୍କର ଆତଙ୍କ। ବିସ୍ଫୋରକ ରୂପ ନେଇ ମାଡି ଚାଲୁଛି କୋରୋନା ନାମକ ଭାଇରସ। ଯାହାର ମାତ୍ରାଧିକ ପ୍ରଭାବ ଶିଶୁଙ୍କ ଠାରେ ପଡୁଛି। ସଂକ୍ରମଣ ପାଇଁ ସ୍କୁଲ ବନ୍ଦ, ଟ୍ୟୁସନ ଯିବାକୁ ମନା ଏବଂ ସାଙ୍ଗସାଥୀଙ୍କ ସହ ଖେଳକୁଦ ଓ ମିଶିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି କୋରୋନା । ଏହାକୁ ନେଇ ମାନସିକ ସ୍ତରରେ ବିଗୁଡୁଛି ଛୋଟ ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟ ।
ସେପଟେ କୋରୋନାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଚର୍ଚ୍ଚା । ଗଣମାଧ୍ୟମରେ ଯେଉଁ ଭଳି ଭାବରେ କୋରୋନା ଖବର ପ୍ରସାରଣ କରାଯାଉଛି ସେହି ଅନୁଯାୟୀ ଛୋଟ ଛୋଟ ପିଲାମାନେ କୋରୋନା ବିଷୟରେ ଜାଣିନଥିଲେ ମଧ୍ୟ ଅନେକ ମାତ୍ରାରେ ଭୟଭୀତ ହୋଇପଡୁଛନ୍ତି । ପ୍ରକୃତରେ କଣ କେହି ବଞ୍ଚିବେ ନାହିଁ, ଏ ମହାମାରୀର ଅନ୍ତ ନାହିଁ ଏମିତି ଗୁଡାଏ ପ୍ରଶ୍ନ ପିଲାଙ୍କ ମନରେ ଭୟ ସଞ୍ଚାର କରିଛି ବୋଲି ଚାଇଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି । ଦୈନିକ କୋରୋନା ଖବର ପ୍ରସାରଣ, ଓ ଘରେ ଭିତରେ ବିଭିନ୍ନ କୋଭିଡ ସମ୍ପର୍କିତ ଆଲୋଚନା ପିଲାଙ୍କୁ ସାଙ୍ଘାତିକ ମାନସିକ ରୋଗରେ ପୀଡିତ ହେବାର ଆଶଙ୍କା ବଢାଇଛି ।
ସେହିପରି ମନସ୍ତତ୍ତ୍ୱବିତ ପ୍ରଫେସର ପ୍ରତାପ ରଥ କହିଛନ୍ତି ଯେ, ଗଣମାଧ୍ୟମରେ କୋରୋନା ବିଷୟରେ ଯେଉଁଭଳି ଆଲୋଚନା କରାଯାଉଛି ସେନେଇ ନେଇ ପିଲାଙ୍କ ଉପରେ ଏକ ପ୍ରକାରର ପ୍ରତିକୂଳ ପ୍ରଭାବ ପକାଉଛି। ଏହା ଜାଣିବାକୁ ପିତାମାତାମାନେ ଚେଷ୍ଟା କରିବା ଆବଶ୍ୟକ।
ତେବେ କିପରି କୋରୋନାର ଏ ଦୁଃଚିନ୍ତାରୁ ପିଲାଙ୍କୁ ଦୂରେଇ ରଖିବେ ? ଏହି ସମୟରେ ଅଭିଭାବକ କଣ କରିବା ଆବଶ୍ୟକ ?
ଏପରି ସ୍ଥିତିରେ ପିଲାଙ୍କୁ କୋରୋନା ଯୋଦ୍ଧା ବନାନ୍ତୁ । ଯେତେ ପାରୁଛନ୍ତି ଖବର ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ସବୁବେଳେ ପଜିଟିଭ କଥା କୁହନ୍ତୁ ଦିଅନ୍ତୁ । କାରଣ ଆମ ରାଜ୍ୟରେ ମୃତ୍ୟୁହାର ଅପେକ୍ଷା ସୁସ୍ଥହାର ଢେର ଅଧିକ ରହିଛି । ଫଳରେ ଡରକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ । ଏପରିକି ଅଭିଭାବକମାନେ ପିଲାଙ୍କୁ 30 ମିନିଟର ସମୟ ଦେବା ସହ ସେମାନଙ୍କ ସହ ଖେଳନ୍ତୁ । ଆଉ ଫ୍ରି-ସମୟରେ ସାଙ୍ଗସାଥୀଙ୍କ ସହ ଫୋନ ହେଉ ଅବା ଭିଡିଓ କଲରେ କଥା କରାନ୍ତୁ । ଏହା ବ୍ୟତୀତ ପିଲାଙ୍କୁ ବିଭିନ୍ନ ଆପ ଜରିଆରେ ବିଭିନ୍ନ ଶିକ୍ଷା ମଧ୍ୟ ଦେଇପାରିବେ ।
ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ତେଣୁ ସେମାନଙ୍କୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । କୋରୋନାକୁ କିଭଳି ପ୍ରତିହତ କରିହେବ, ଭୟ ନ କରି କିଭଳି ସମସ୍ୟାକୁ ସାମ୍ନା କରିହେବ ସେ ବିଷୟରେ ଅଧିକ ଧ୍ୟାନ ଦେବା ଜରୁରୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ