ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କୋରୋନା ମିଟର । ସଂକ୍ରମିତଙ୍କ ସଂଖ୍ୟା ବଢିବା ସାଙ୍ଗକୁ ବଢୁଛି ସଂକ୍ରମଣର ଭୟ । ସଚେତନ ରହିବା ସହିତ ଭିଡ ଠାରୁ ଦୂରରେ ରହିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ଡରାଉଛି କୋରୋନାର ଦ୍ୱିତୀୟ ଲହର । ଲଗାତାର ଭାବରେ ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଏହି ସଂଖ୍ୟା ଦ୍ରୁତ ବେଗରେ ବଢୁଥିବା ବେଳେ ଗତ 4 ଦିନ ଭିତରେ 2423 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା ନେଇ ଚେକିଂ, ଟ୍ରେସିଂ, ଟେଷ୍ଟିଂ ଚାଲିଥଲେ ମଧ୍ୟ କେତେକ ଅମାନିଆ କୋରୋନା କଟକଣା ଉଲଙ୍ଘନ କରୁଛନ୍ତି । ଏବେ ବି ରାଜଧାନୀର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ କଟକଣା ପାଳନ ହେଉନଥିବା ଦେଖିବାକୁ ମିଳିଛି । ଯେମିତିକି ବସଷ୍ଟାଣ୍ଡ, ମାର୍କେଟ ବିଲଡିଂ ଷ୍ଟେସନ ମାନଙ୍କରେ କରୋନା ନିୟମକୁ ଫୁ କରି ଉଡ଼ାଇବାର ଲାଗିଛନ୍ତି l ଏଭଳି ପରିସ୍ଥିତିରେ ଦ୍ୱିତୀୟ କୋରୋନା ଲହରର ମୁକାବିଲା ପାଇଁ ସଚେତନ ରହିବାର ଆବଶ୍ୟକତା ରହିଛି । ତେଣୁ, ବିଭିନ୍ନ ସଭାସମିତି, ସାମାଜିକ କାର୍ଯ୍ୟକ୍ରମ, ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ନୁଆ ଷ୍ଟ୍ରେନ ସାଙ୍ଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏନେଇ ପ୍ରଶାସନିକ ସ୍ତରରେ ସମୀକ୍ଷା ଚାଲିଛି । ସେହିପରି ରାଜ୍ୟରେ ଦୈନିକ ଟୀକାକରଣ ସଂଖ୍ୟା ବୃଦ୍ଧି କରାଯାଉଛି । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଟିକା ନେବା ଦ୍ବାରା କୋରୋନା ମୁକାବିଲା ସହଜ ହେବ । ଏହି କ୍ରମରେ ଗତକାଲି ୨ଲକ୍ଷ ୫୨ ହଜାର ଟୀକାକରଣ କରାଯାଇଥିବା ବେଳେ ରାଜ୍ୟରେ ମୋଟ ଟୀକାକରଣ ସଂଖ୍ୟା ୨୮ଲକ୍ଷ ୬୬ହଜାର ୨୫୫କୁ ବୃଦ୍ଧି ପାଇଛି । ସେହିପରି ଦ୍ୱିତୀୟ ଲହରର ମୁକାବିଲା କରିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ