ଭୁବନେଶ୍ବର: ପୁଣି ଡରାଇଲା କୋରୋନା । ଗତ ୧୦ ଦିନ ମଧ୍ୟରେ ସଂକ୍ରମଣରେ ଲମ୍ବା ଡିଆଁ ମାରିଛି । ଦେଶରେ ଦୈନିକ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବଢୁଥିବା ସଂକ୍ରମଣ ଯୋଗୁଁ ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ ପଡିଛି । କୋରୋନା ମହାମାରୀ ଯୋଗୁଁ ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଛି ।
ବିମାନ ବନ୍ଦରରେ ଦୈନିକ ଯାତ୍ରୀ ସଂଖ୍ୟା ୧୨ ହଜାର ରହୁ ଥିବାବେଳେ ଏବେ ଏହା ୭ରୁ ୮ ହଜାରକୁ ଖସି ଆସିଛି । ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରକୁ ଦୈନିକ ୩୮ଟି ବିମାନ ଯାତାୟତ କରୁଛି । ବିମାନବନ୍ଦରରେ ସବୁ ପ୍ରକାର କୋଭିଡ ନିୟମକୁ କଡାକଡି ପାଳନ କରାଯିବା ସହ ସତର୍କତା ଅବଲମ୍ବନ କରାଯାଉଛି । ଏପରିକି ଭୁବନେଶ୍ବର ବନ୍ଦରକୁ କୌଣସି ଅନ୍ତର୍ଜାତୀୟ ବିମାନ ଯାତାୟତ କରୁନାହିଁ । କ୍ବାଲାମପୁର ଏବଂ ବ୍ୟାଂକକରୁ ମଧ୍ୟ ବିମାନ ଆସୁନାହିଁ ।
ଭୁବନେଶ୍ବର ମହାନଗର ନିଗମ (BMC) ପକ୍ଷରୁ ଯାତ୍ରୀମାନଙ୍କୁ RT-PCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଉଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ ଘଣ୍ଟା ମଧ୍ୟରେ କୋଭିଡ ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ କରାଯିବ ନାହିଁ । ଏନେଇ ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।
ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ