ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ନାଁରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି । ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିବା ସେହି ପ୍ରକଳ୍ପ ହୋଇ ନ ପାରିଲେ । ସେହି ଜମିକୁ ଏଲଏଆରଆର ଆକ୍ଟ- ୨୦୧୩ ଆଧାରରେ ଜମି ମାଲିକଙ୍କୁ ଫେରସ୍ତ କରିବାର ପ୍ରାବଧାନ ରହିଛି ।
କିନ୍ତୁ ଢ଼ିଙ୍କିଆରେ ପୋସ୍କୋର ବିଫଳତାକୁ ନେଇ ରାଜ୍ୟ ସରକାର ଭୋକ ବିକଳରେ ତାଟିଆ କାମୁଡ଼ି ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସ ବଳ ଲଗାଇ ରାଗ ସୁଝାଉଛନ୍ତି । ଏଭଳି ଭାବରେ କଂଗ୍ରେସ ସିଧାସଳଖ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉପରେ ବର୍ଷିଛି । ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ଯେଉଁ ସବୁ ନୀତି ନିୟମକୁ ପାଥେୟ କରିବା କଥା ।
ତାହା ନକରି ସିଧାସଳଖ ଭାବରେ ରାଜ୍ୟ ସରକାର ଘରୋଇ କମ୍ପାନୀ ପାଇଁ ପକ୍ଷ ହୋଇ ଢ଼ିଙ୍କିଆବାସୀଙ୍କ ଉପରେ ଅତ୍ୟାଚାର କରି ଚାଲିଛନ୍ତି । ଏପରିକି ମହିଳା ଓ ଶିଶୁ ଏଥିରୁ ବାଦ ପଡ଼ିନାହାନ୍ତି ଏବଂ ସବୁଠୁ ଆର୍ଶ୍ଚଯ୍ୟର କଥା ଘରୋଇ କମ୍ପାନୀକୁ ଜମି ଦେବା ପୂର୍ବରୁ ପରିବେଶ ମଞ୍ଜୁରି ନଥାଇ ସରକାର ଘରୋଇ କମ୍ପାନୀ ଆଗରେ ଆତ୍ମ ସମର୍ପଣ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ।
ଢିଙ୍କିଆବାସୀଙ୍କ ଉପରେ ପୋଲିସର କାର୍ଯ୍ୟକଳାପ ନେଇ ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଜମି ଅଧିଗ୍ରହଣ ନାମରେ ଢିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି । ଯାହାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଦୃଢ଼ ନିନ୍ଦା କରିଛନ୍ତି ।
ଜଗତସିଂହପୁର ପୋଲିସ ଏସପି ଏବଂ ସମ୍ପୃକ୍ତ ଅଭୟଚାନ୍ଦପୁର ଥାନା ଅଧିକାରୀ ବିଗତ ଦିନରେ ୨୦୨୦ ମସିହାରେ ପୁରୀ ବାସେଳିସାହି ଥାନାରେ କେ ରମେଶ ନାମକ ଯୁବକଙ୍କର ହାଜତ ମୃତ୍ୟୁ ଘଟଣାକୁ ନେଇ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟର କଥା ସେହି ଥାନା ଅଧିକାରୀ ଓ ସେହି ନିର୍ଦ୍ଦିଷ୍ଟ ଏସ୍ପିଙ୍କୁ ରାଜ୍ୟ ସରକାର ଢ଼ିଙ୍କଆରେ ତାଣ୍ଡବଲୀଳା ପାଇଁ ଦାୟିତ୍ୱ ଦେଇଛନ୍ତି । ସରକାର ତଥା ବିଜୁ ଜନତା ଦଳ ନିଜର ରାଜନୈତିକ ମହତ ଆଙ୍କାକ୍ଷାକୁ ଚରିତାର୍ଥ କରିବା ପାଇଁ ପୋଲିସ ବାହିନୀକୁ ସରକାରୀ ଗୁଣ୍ଡା ସଜାଇ ଢ଼ିଙ୍କିଆରେ ମାନବାଧିକାର ଉଲ୍ଲଘଂନ କରୁଛି ।
ଯାହାକି ଜନମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଛି । ଢିଙ୍କିଆରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ଢିଙ୍କିଆ ଅଞ୍ଚଳରୁ ପୋଲିସ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉଚ, ଇଟିଭି ଭାରତ