ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ଦ୍ବାରା ଏକ ମିଳିତ ସର୍ଭେ ରିପୋର୍ଟ ଭାରତ ବର୍ଷର ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ମୁତାବକ ଭାରତ ବର୍ଷର ସବୁଠାରୁ ୫୦ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପ୍ରକାଶ ପାଇଛି । ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ କୁମାର ମହାନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧ ନମ୍ବର କିନ୍ତୁ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କାହିଁକି ଭାରତବର୍ଷର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ରଜନୀ କହିଛନ୍ତି ଯେ, ଭାରତ ବର୍ଷର ସବୁଠାରୁ ୫୦ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ବୋଲି ଜଣାପଡିଛି । ଏହି ୮ ଟି ପଛୁଆ ଜିଲ୍ଲା ହେଲେ ମାଲକାନଗିରି, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡା, ଗଜପତି, ନବରଙ୍ଗପୁର ଓ କନ୍ଧମାଳ । ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ କେବଳ ଆଦିବାସୀବର୍ଗର ଲୋକ ଅଟନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ୯୫ ଲକ୍ଷ ୯୦ ହଜାର ୭୫୬ । କିନ୍ତୁ ୨୦୨୧ ମସିହା ସୁଦ୍ଧା ଏହା ପାଖାପାଖି ୧ କୋଟି ୮ ଲକ୍ଷରୁ ଅଧିକ ଜନସଂଖ୍ୟା ହେବାକୁ ବସିଲେଣି । ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ଭାରତ ବର୍ଷର ଆଦିବାସୀ ଜନସଂଖ୍ୟା ଅନୁପାତରେ ଏହା ୯.୧୭ ପ୍ରତିଶତ ଅଟେ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ୨୦୦୦ ମସିହାରେ ରାଜ୍ୟରେ କଂଗ୍ରେସ ସରକାର ଗଲାବେଳକୁ ଓଡ଼ିଶାର ଆଦିବାସୀ ଜିଲ୍ଲାମାନଙ୍କର ବିକାଶ ସୂଚକାଙ୍କ ଓଡ଼ିଶାର ପଡ଼ୋଶୀ ରାଜ୍ୟ ବିହାର, ଝାଡଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ଠାରୁ ବହୁ ଭଲ ଥିଲା । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତୀ ୧ ନମ୍ବର ହୋଇଥିଲାବେଳେ କାହିଁକି ଓ କିଭଳି ଭାବରେ ଓଡ଼ିଶାର ୮ଟି ଆଦିବାସୀ ଜିଲ୍ଲା ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପରିଗଣିତ ହେଉଛନ୍ତି?
ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କର ପରିବାର କହୁଥିଲାବେଳେ ଏହି ୮ଟି ଆଦିବାସୀ ଜିଲ୍ଲାର ଆଦିବାସୀ ଭାଇ ଭଉଣୀମାନେ ତାଙ୍କର ପରିବାର କି ? ସାମଗ୍ରୀକ ମାନବ ବିକାଶ ସୂଚକାଙ୍କ ତଥ୍ୟ ଅନୁସାରେ ଏହି ସବୁ ଜିଲ୍ଲାମାନଙ୍କର ଅତି ବିକଟାଳ ଚିତ୍ର ଦୀର୍ଘ ୨୧ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥା ପରେ ମଧ୍ୟ ଦେଖିବାକୁ ମିଳୁଛି । ନୂଆପଡ଼ା ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା (୫୮୮ ର୍ୟାଙ୍କ) । ତା ପଛକୁ ନବରଙ୍ଗପୁର(୫୭୫ ର୍ୟାଙ୍କ), ବୌଦ୍ଧ (୫୭୪ ର୍ୟାଙ୍କ), ମୟୁରଭଞ୍ଜ (୫୬୪ ର୍ୟାଙ୍କ), ଗଜପତି (୫୫୨ ର୍ୟାଙ୍କ), କନ୍ଧମାଳ(୫୫୧ ର୍ୟାଙ୍କ), କଳାହାଣ୍ଡି (୫୪୮ ର୍ୟାଙ୍କ) ଜିଲ୍ଲା ରହିଛି । ଦାରିଦ୍ର୍ୟ କ୍ଷେତ୍ରରେ ବୌଦ୍ଧ ସବୁଠାରୁ ଅତ୍ୟନ୍ତ ଦରିଦ୍ର ଆଦିବାସୀ ଜିଲ୍ଲା ଏବଂ ମାଲକାନଗିରି, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାମାନେ ମଧ୍ୟ କ୍ରମାନ୍ବୟରେ ଦରିଦ୍ର ଆଦିବାସୀ ବହୁଳ ଜିଲ୍ଲା ବୋଲି ସ୍ଥାନ ପାଇଛନ୍ତି । ଶିକ୍ଷା କ୍ଷେତ୍ରରେ ନୂଆପଡ଼ା ସବୁଠାରୁ ପଛୁଆ ଆଦିବାସୀ ଜିଲ୍ଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ବୌଦ୍ଧ ଓ ଗଜପତି ଜିଲ୍ଲା ସବୁଠାରୁ ପଛୁଆ ଜିଲ୍ଲା । ଓଡ଼ିଶାର କୌଣସି ଏକ ଜିଲ୍ଲା ଭାରତ ବର୍ଷର ସବୁଠାରୁ ୧୦୦ ବିକଶିତ ଜିଲ୍ଲା ଭିତରେ ସ୍ଥାନ ପାଇନାହାନ୍ତି । ମୁଖ୍ୟମନ୍ତ୍ରୀ କିଭଳି ୧ ନମ୍ବର । ଯଦି ରାଜ୍ୟର ସ୍ଥିତି ଏତେ ଦୟନୀୟ । ତାହାଲେ ମୁଖ୍ୟମନ୍ତ୍ରୀ କେଉଁଭଳି ଭାବରେ କେଉଁ ଚୟନ ପ୍ରକ୍ରିୟାରେ ୧ ନମ୍ବର ହେଲା ଏହା ସନ୍ଦେହ ସୃଷ୍ଟି କରୁଛି ।
ଏହି ୮ ଟି ଆଦିବାସୀ ବହୁଳ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ଭିତରେ ପାଖାପାଖି ୬୨.୪ ପ୍ରତିଶତ ପିଲା ବିଦ୍ୟାଳୟ ପାଠପଢ଼ା ଛାଡ଼ୁଛନ୍ତି । ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ମାତ୍ର ୧୫ ପ୍ରତିଶତ ପାଠ ପଢ଼ୁଛନ୍ତି । ରାଜ୍ୟରେ ଆଜି ମଧ୍ୟ ଏହି ୮ଟି ଆଦିବାସୀ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ୪୦ ପ୍ରତିଶତ ଯାହାକି ଏହା ଭାରତ ବର୍ଷର ସବୁଠାରୁ ଅଧିକ । ଠିକ୍ ସେହିଭଳି ଭାବରେ ମାତୃ ମୃତ୍ୟୁହାର ୨୩୭ ଜଣ ଅଛି । ୬ ମାସରୁ ୫୯ ମାସ ଭିତରେ ପାଖାପାଖି ୪୪.୬ ପ୍ରତିଶତ ପିଲାମାନେ ରକ୍ତହୀନତାର ଶିକାର ହେଉଛନ୍ତି । ଅପପୃଷ୍ଟି ହାର ମଧ୍ୟ ଏହି ୮ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହା ସର୍ବାଧିକ । ସବୁଠାରୁ ବଡ଼ ଦୁଃଖର କଥା ହେଲା ଏହି ଆଦିବାସୀ ମାନଙ୍କ ଦ୍ବାରା ରାଜ୍ୟର ଅର୍ଥନୀତି ଓ ସାମାଜିକ ସଂପଦ ବିକାଶ ଓ ସୃଷ୍ଟି ହୋଇଥାଏ । କିନ୍ତୁ ଏମାନେ ସବୁଠାରୁ ପଛରେ କେମିତି । ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ମନୋରଞ୍ଜନ ଦାସ ଓ ମୁଖପାତ୍ର ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ