ଭୁବନେଶ୍ବର: ରାଜ୍ୟ ସରକାର ଶାଗମାଛ ଦରରେ ଜମି ବିକୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟିରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଏହି ଦୁର୍ନୀତିକୁ ସିବିଆଇ ଦ୍ବାରା ତଦନ୍ତ କରାଯାଉ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ବିକ୍ରି କରୁଛନ୍ତି। ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ସେ ଦୃଢ଼ ଦାବି କରିଛନ୍ତି । ଜଟଣୀ ମ୍ୟୁନିସିପାଲିଟି ଓ ତାର ପାର୍ଶ୍ଵବର୍ତ୍ତୀ ୧୩ ଟି ଗ୍ରାମର ସମସ୍ତ ସମ୍ପତ୍ତିକୁ ୨୦୧୨ରେ ହଠାତ ଜଣେ ସେଟଲମେଟ ଅଫିସର ଆସି ଶ୍ରୀ ଜଗନ୍ନାଥ ନାମରେ ନାମିତ କରିଛନ୍ତି ।
ଏ ଅଞ୍ଚଳର ସାଧାରଣ ଲୋକଙ୍କର ମୂଲ୍ୟବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ବାରା ଭାରତ ସରକାର ଓ ରାଜ୍ୟ ସରକାରଙ୍କର କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିନାହିଁ । ଯେପରିକି ସ୍କୁଲଘର, ଡାକ୍ତରଖାନା, ରାସ୍ତାଘାଟ,ପାଠାଗାର, କମ୍ୟୁନିଟି ସେଣ୍ଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ଏବଂ ଏହି ଜମି ବିକ୍ରି ହୋଇପାରୁ ନାହିଁ । ଫଳରେ ଆବଶ୍ୟକ ସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି । ୨୦୧୨ ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ସେହିଭଳି ସ୍ଥିତିକୁ ଆଣିବାପାଇଁ ବାରମ୍ବାର ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ମଧ୍ୟ କୈଣସି ସୁଫଳ ମିଳି ନାହିଁ ।
ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବହୁବାର ଆନ୍ଦୋଳନାତ୍ମକ ଭୂମିକା ନେଇଥିଲେମଧ୍ୟ କିଛି ନ୍ୟାୟ ପାଇପାରିଲା ନାହିଁ ବୋଲି କହିଛନ୍ତି ସୁର । ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ । ରାଜ୍ୟ ସରକାରଙ୍କ ଉଦାସୀନତାର ଶିକାର ହୋଇଥିବା ଉପରୋକ୍ତ ଅଞ୍ଚଳର ସମସ୍ତ ଅବାସୀ ଲୋକସେବାଭବନକୁ ମାର୍ଚ୍ଚ ୧ ତାରିଖରେ ଘେରାଉ କରିବେ ବୋଲି ଚେତାବନୀ ଦିଆଯାଇଛି । ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ରାଉତରାୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ