ଭୁବନେଶ୍ବର: ରାଜ୍ୟରେ କେଉଁ ନଦୀରେ କେତେ ଜଳ ପ୍ରବାହିତ ହେଉଛି? ରାଜ୍ୟର ବିଭିନ୍ନ ନଦୀ ଗୁଡିକରେ ବଳକା ଜଳର ବିନିଯୋଗ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? କେଉଁ ନଦୀରେ ବର୍ଷ ସାରା କେତେ ଜଳ ପ୍ରବାହିତ ହେଉଛି,କେତେ ଜଳ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ଆଜି (ଗୁରୁବାର) ବିଧାନସଭାରେ ଲିଖିତ ପ୍ରଶ୍ନ ଜରିଆରେ ଜାଣିବା ପାଇଁ ଚାହିଁଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହମିଶ୍ର (Congress CLP Leader Narasingh Mishra) ।
ଜବାବରେ ଜଳ ସମ୍ପଦ ମନ୍ତ୍ରୀ(Minister of Water Resources) ଉତ୍ତର ଦେଇ କହିଥିଲେ ରାଜ୍ୟରେ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ ଗୁଡିକ ହେଉଛି ମହାନଦୀ , ବ୍ରାହ୍ମଣୀ, ବୈତରଣୀ , ବୁଢାବଳଙ୍ଗ, ଋଷିକୁଲ୍ୟା , ବଂଶଧାରା , ନାଗାବଳୀ , ଇନ୍ଦ୍ରାବତୀ , କୋଲାବ , ସୁବର୍ଣ୍ଣରେଖା ଓ ବାହୁଦା । ରାଜ୍ୟରେ ଥିବା ନଦୀ ଗୁଡିକରେ ବର୍ଷସାରା କେତେ ଜଳ ପ୍ରବାହିତ ହେଉଛି , କେତେଜଳ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ଏବଂ କେତେ ବଳକା ଜଳ ବ୍ୟବହୃତ ନ ହୋଇ ସମୁଦ୍ରକୁ ବହି ଯାଉଛି ତାର ସବିଶେଷ ତଥ୍ୟ ଲିଖିତ ଆକାରରେ ମନ୍ତ୍ରୀ ଦେଇଛନ୍ତି ।
ଏହାବାଦ ନଦୀ ଅବବାହିକାରେ ଜଳର ଉପଲବ୍ଧତା ଓ ଏହାର ବିନିଯୋଗର ସବିଶେଷ ତଥ୍ୟ ମଧ୍ୟ ମନ୍ତ୍ରୀ ଲିଖିତ ଆକାରରେ ଗୃହରେ ଦେଇଛନ୍ତି । ସେହିପରି ବଳକା ଜଳର ସଦ ବିନିଯୋଗ ନିମନ୍ତେ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ନଦୀରେ 30 ଗୋଟି ISS ନିର୍ମାଣ ହେବାକୁ ଯାଉଛି । ଏତତ ବ୍ୟତୀତ 2022-23 ଆର୍ଥିକ ବର୍ଷରେ 16 ଟି ISS ନିର୍ମାଣ କରାଯିବାର ପ୍ରସ୍ତାବ ଅଛି । ଏତଦ ବିଭିନ୍ନ ନଦୀ ମାନଙ୍କରେ ବ୍ୟାରେଜ , ନଦୀବନ୍ଧ ଯୋଜନା ପ୍ରଭୃତି କରିବାପାଇଁ ସର୍ଭେ ଓ ଅନୁସନ୍ଧାନ ଚାଲୁଥିବା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ