ଭୁବନେଶ୍ବର: ସର୍ବଦଳୀୟ ବୈଠକ ନେଇ ସୁରଙ୍କ ପ୍ରତିକ୍ରିୟା । ପଞ୍ଚାୟତ ନିର୍ବାଚନରେ କୋଭିଡ ପ୍ରୋଟୋକଲ ମଧ୍ୟରେ ନିର୍ବାଚନ ପରିଚାଳନାକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଣ ନିଷ୍ପତ୍ତି ହୋଇଛି, ତାକୁ ନେଇ ବିରୋଧୀ ମାରିଛନ୍ତି ତୀର । ଖାଲି ଔପଚାରିକତା ଦୃଷ୍ଟିରୁ ସର୍ବଦଳୀୟ ବୈଠକ ଡକାଯାଉଛି ନେହେଲେ ନିର୍ବାଚନ କମିଶନ କଣ କରୁଛନ୍ତି ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି ସୁର ।
ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଟଙ୍କା ବାଣ୍ଟୁଛନ୍ତି ସରକାର। ଟଙ୍କାର ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ପ୍ରସ୍ତୁତ ସରକାର। ଏନେଇ ନିର୍ବାଚନ କମିଶନ କଣ କରୁଛନ୍ତି। ସେପଟେ ନିର୍ବାଚନ ଘୁଞ୍ଚାଇବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । କୋଭିଡ ସଂକ୍ରମଣ ସମୟରେ ନିର୍ବାଚନ ହେଲେ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଏହାକୁ ଘୁଞ୍ଚାଇବା ପ୍ରାର୍ଥନା କରି ଆଇନର ଆଶ୍ରୟ ନେଇଛନ୍ତି। ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି ।
ସୂଚନାଥାଉକି ଆଜି ରାଜ୍ଯ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଶାସକ ବିଜେଡି ସହ ବିରୋଧୀ ବିଜେପ ଓ କଂଗ୍ରେସ ମଧ୍ୟ ଯୋଗ ଦେଇଥିଲେ । ଶାସକ ବିଜେଡି କୋରୋନା କଟକଣା ମଧ୍ୟରେ ନିର୍ବାଚନ କରିବା ପାଇଁ କହିଥିବାବେଳେ ସେପଟେ ବିଜେପି ଓ କଂଗ୍ରେସ ନିର୍ବାଚନକୁ ଘୁଞ୍ଚାଇବା ପାଇଁ ନିଜର ମତ ରଖିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ କମିସନ କୋରୋନା କଟକଣା ମଧ୍ୟରେ କି ଭଳି ନିର୍ବାଚନ ଅନୁଷ୍ଠିତ ହେବ ସେନେଇ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରିଛି । ତେବେ ନିର୍ବାଚନ କମିସନ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ