ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ରାଜ୍ୟର ବହୁ ସମସ୍ୟା ଉଠାଇବେ ବିରୋଧୀ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ମାଗିବେ ଦଳ । ତେବେ ଚଳିତ ମୌସୁମୀ ଅଧିବେଶନରେ କଂଗ୍ରେସର ଆଭିମୁଖ୍ୟ କ'ଣ ହେବ ସେନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଲୋକଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢିଛି ବୋଲି କହିଛନ୍ତି ନରସିଂହ ।
ତେବେ ଚଳିତ ମୌସୁମୀ ଅଧିବେଶନରେ କଂଗ୍ରେସର ପ୍ରମୁଖ ମୁଦ୍ଦା ହେବ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ କୃଷି ଓ କୃଷକ ସମସ୍ୟା । ରାଜ୍ୟର କୃଷକମାନେ ଧାନର ଅଭାବୀ ବିକ୍ରି ଓ ମଣ୍ଡି ଅବ୍ୟବସ୍ଥା ଭଳି ବଡ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏଥିସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର ।
ବିଧାନସଭା ଚଳାଇବା ସରକାରଙ୍କ ଦାୟିତ୍ବ । ହେଲେ ରାଜ୍ୟ ସରକାର ବିରୋଧୀ ଦଳମାନଙ୍କୁ ନେଇ ଗୃହ ଚଳାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେପ୍ଟେମ୍ବର ପହିଲାରୁ ସ୍ବଳ୍ପକାଳୀନ ବିଧାନସଭା । ସେପ୍ଟେମ୍ବର 1ରୁ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବ । ଆସନ୍ତା ମାସ 1 ତାରିଖରୁ 9 ତାରିଖ ଯାଏଁ ଚାଲିବ । ଏଥିରେ ମାତ୍ର 8ଟି କାର୍ଯ୍ୟ ଦିବସ ରହିବ।
କେବଳ ରବିବାରକୁ ଛାଡି ଦେଲେ ଅନ୍ୟ 8 ଦିନ ଗୃହ ଚାଲିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ