ଭୁବନେଶ୍ବର: ଭାରତ ଯୋଡ଼ ଯାତ୍ରା ଅଭିଯାନରେ ଶନିବାର ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସର ତୁଙ୍ଗ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ । ଏହି କ୍ରମରେ କଂଗ୍ରେସ ପକ୍ଷରୁ ଉଭୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି(Jayaram Ramesh targeted Narendra Modi) । ଏହାକୁ ନେଇ ରବିବାର ମଧ୍ୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଜୟରାମ ରମେଶ ।
ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ବିଜେପି ଯୋଗୁଁ ଭାରତ ବିଭାଜିତ ହେବାରେ ଲାଗିଛି । ଜାତି, ଧର୍ମ, ପ୍ରାନ୍ତ ନାମରେ ଲୋକଙ୍କୁ ବଣ୍ଟା ଯାଉଛି । ଘୋଷଣା ହୋଇନଥିଲେ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ରାଜନୀତି ଅଧିକାରକୁ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । କ୍ଷମତା କେନ୍ଦ୍ରିକରଣ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଦେଶରେ ଭାରତକୁ ଯୋଡ଼ିବାର ସମୟ ଆସିଛି । ରାଜ୍ୟରେ ବିଜେଡି ବିଜେପି ମିଳିତ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ତାହା କହୁଛନ୍ତି । ଓଡ଼ିଶାରେ ଭାରତଯୋଡ଼ ଯାତ୍ରାର ଟାର୍ଗେଟରେ ଉଭୟ ବିଜେପି ଓ ବିଜେଡି ରହିବେ । ରାଷ୍ଟ୍ରୀୟ ସ୍ତରରେ ଭାରତ ଯୋଡ଼ ଯାତ୍ରା କେବଳ ଆର୍ଏସ୍ଏସ୍ ଓ ବିଜେପିକୁ ଟାର୍ଗେଟ୍ କରୁଛି ।"
ଏହା ବି ପଢ଼ନ୍ତୁ Bharat Jodo Yatra: ଅକ୍ଟୋବର ୩୧ରୁ ଓଡିଶାରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ
ଯେଉଁ ରାଜ୍ୟରେ ଭାରତଯୋଡ଼ ଯାତ୍ରା ପହଞ୍ଚିନାହିଁ ସେଠାରେ ବି ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ଅକ୍ଟୋବର ୩୧ ତାରିଖରେ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା କରିବ କଂଗ୍ରେସ । ଏହି ଯାତ୍ରା ମାଧ୍ୟମରେ ବିଜେପି-ବିଜେଡିର ମିଳିତ ସରକାର ଦୁର୍ନୀତି ବିଷୟରେ ଲୋକଙ୍କୁ କହିବ କଂଗ୍ରେସ । ଏହାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟରେ ଏହି ପଦଯାତ୍ରାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯେଉଁ ଯେଉଁ ରାଜ୍ୟ ଦେଇ ଭାରତ ଯୋଡ ଯାତ୍ରା ଯାଉନି, ସେଠାରେ ମଧ୍ୟ ଅନୁଷ୍ଠିତ ହେବ ଭାରତ ଯୋଡ ଯାତ୍ରା । ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଅନୁଷ୍ଠିତ ହେବ । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା । ୨୨୫୦ କିଲୋମିଟର ଯାତ୍ରା ଅତିକ୍ରମ କରିବେ ଦଳର ନେତା ଓ କର୍ମୀ । ସମସ୍ତଙ୍କୁ ଏକାଠି ନେଇ ଆମେ ଆଗକୁ ବଢ଼ିବୁ । ତ୍ରିରଙ୍ଗା ପତାକା ଓ ହାତ ଚି଼ହ୍ନ ପତାକା ଧରି ସମସ୍ତେ ଏହି କାଯ୍ୟକ୍ରମରେ ଯୋଗ ଦେଇପାରିବେ ।"
ପଦଯାତ୍ରା ଶେଷ ହେବାକୁ ଲାଗିବ ୫ମାସରୁ ଊର୍ଦ୍ଧ୍ବ ସମୟ । ଏହି ପଦଯାତ୍ରାରେ ପ୍ରତିଦିନ ୨୨ କିଲୋମିଟର ଚାଲୁଛନ୍ତି କଂଗ୍ରେସ ନେତା ଓ ସାଧାରଣ ଜନତା । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ମୋଦିଙ୍କ ଚିନ୍ତାଧାରା ଓ ବିଭିନ୍ନ ଦେଶ ବିରୋଧୀ ପଦକ୍ଷପ ଭାରତ ଦେଶକୁ ଭାଙ୍ଗି ଦେଉଛି ବୋଲି ଦଳ ଅଭିଯୋଗ ଆଣିଛି । ଏଣୁ ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦଳ ।