ଭୁବନେଶ୍ବର: ବାଲେଶ୍ବର ପୌରସଂସ୍ଥାକୁ ମହାନଗରରେ ପରିଣତ କରିବାକୁ ଦାବି ଜୋର ଧରିବାରେ ଲାଗିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଯୁବ ନେତା ନବଜ୍ୟୋତି ପଟ୍ଟନାୟକ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, "ରାଜ୍ୟ ବିଧାନସଭାର କାର୍ଯ୍ୟକ୍ରମରୁ ରାଜ୍ୟ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡିକରେ ନିର୍ବାଚନ କରାଇବା ନେଇ ସୂଚନା ମିଳୁଛି । ଏହି ପରିସ୍ଥିତିରେ ଜଣେ ବାଲେଶ୍ବରର ଜନ ପ୍ରତିନିଧ ଭାବରେ ସେ କେତେକ ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ମନେ କରୁଛନ୍ତି ।
ରାଜ୍ୟ ସରକାର ଇତିମଧ୍ୟରେ ରାଜ୍ୟର କେତେକ ପୌରସଂସ୍ଥାକୁ ଉନ୍ନୀତ କରି ମହାନଗର ନିଗମରେ ପରିଣତ କରିସାରିଛନ୍ତି । ସେହିଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହାନଗର ନିଗମମାନ ସୃଷ୍ଟି ହୋଇଛି । ଉଦାହରଣସ୍ୱରୂପ ଉପକୂଳବର୍ତ୍ତୀ ଓଡ଼ିଶାରେ କଟକ ଓ ଭୁବନେଶ୍ବର ମହାନଗର ନିଗମ, ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଓ ରାଉରକେଲା ଏବଂ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ମହାନଗର ନିଗମ ଗଠିତ ହୋଇଛି । କିନ୍ତୁ ଏହି ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶା ପ୍ରତି ଅବହେଳା କରାଯାଇଛି ।
ବାଲେଶ୍ଵର ରାଜ୍ୟର ଅନ୍ୟତମ ସର୍ବପୁରାତନ ପୌରସଂସ୍ଥା ହୋଇଥିବାରୁ ତାହାକୁ ମହାନଗର ନିଗମକୁ କରିବାକୁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଦ୍ଵାରା ଉକ୍ତ ସହରାଞ୍ଚଳରେ ପ୍ରଶାସନିକ ପରିଚାଳନା ଅଧିକ ଦକ୍ଷ ହେବା ସହିତ ସହରବାସୀ ଅଧିକ ସୁବିଧା ସୁଯୋଗ ପାଇପାରିବେ । ଏହା ବ୍ୟତୀତ ବାଲେଶ୍ୱର ପୌରସଂସ୍ଥା ମହାନଗର ନିଗମରେ ପରିଣତ ହେବାକୁ ସମ୍ବିଧାନର ୭୪ତମ ସଂଶୋଧନ -୧୯୯୨ ଏବଂ ଓଡ଼ିଶା ପୌରାଞ୍ଚଳ ଆଇନର ସମସ୍ତ ସର୍ତ୍ତ ପୂରଣ କରୁଛି ।
ଏଥିପାଇଁ ବାଲେଶ୍ଵର ତଥା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କର ବୃହତ୍ତର ସ୍ୱାର୍ଥ । ସେମାନଙ୍କୁ ଅଧୁକ ସୁବିଧାସୁଯୋଗ ଉପଲବ୍ଧ କରାଇବାକୁ ଏହି ବିଷୟ ପ୍ରତି ଦୃଷ୍ଟିଦେଇ ବାଲେଶ୍ବର ପୌରସଂସ୍ଥାକୁ ମହାନଗର ନିଗମରେ ପରିଣତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନବଜ୍ୟୋତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ