ଭୁବନେଶ୍ବର: ଦୀର୍ଘ ବର୍ଷ ବ୍ୟବଧାନ ପରେ ତୈଳ ଦର ହ୍ରାସ ପାଇଛି । ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ରାଜ୍ୟ ସରକାର 3 ଟଙ୍କା ଭ୍ୟାଟ ଟ୍ୟାକ୍ସ କମ କରିବା କେବଳ ଧର୍ମକୁ ଆଖିଠାର ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ । ନିର୍ବାଚନ ଫଳାଫଳ ହେଉ କିମ୍ବା ସମୟର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ସରକାର ବାଧ୍ୟ ବାଧକତା ସ୍ୱରୂପ ତୈଳ ଦର ଉପରେ ଉତ୍ପାଦ ଶୁଳ୍କ କମାଇଛନ୍ତି । ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାରଙ୍କୁ ଦେଖି ରାଜ୍ୟ ସରକାର ମଧ୍ୟ ଅବିଳମ୍ବେ ଭ୍ୟାଟ ଟିକସ 3 ଟଙ୍କା ହ୍ରାସ କରିଛନ୍ତି । ଏହାପରେ ତୈଳଦର ବୃଦ୍ଧିରେ ଅସ୍ତବ୍ୟସ୍ତ ସାଧାରଣ ଜନତା ସାମାନ୍ୟ ଆସ୍ବସ୍ତି ପାଇଛନ୍ତି କହିଲେ ଭୁଲ ହେବନି । ହେଲେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ 7 ବର୍ଷ ତୈଳ ଦର ଲଗାତାର ବୃଦ୍ଧି କରି ଚାଲିଥିଲେ କେନ୍ଦ୍ର ସରକାର । ଅନ୍ତରାଷ୍ଟ୍ରୀୟ ବଜାରରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୫ ଟଙ୍କା ଥିଲା ସେତେବେଳେ ବି କେନ୍ଦ୍ର ସରକାର ଦର ବୃଦ୍ଧି କରୁଥିଲେ ।
ମହାମାରୀ ସମୟରେ ଜୀବନ ଜୀବିକା ବ୍ୟାହତ ହୋଇଥିଲେ ମଧ୍ୟ ତୈଳ ଦର ପ୍ରତିଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା । ହଜାର ହଜାର କୋଟି ଟଙ୍କା ଲାଭ କରିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ 5 ଟଙ୍କା 3 ଟଙ୍କା କମାଇବା କେତେ ଯଥାର୍ଥ ?ଯେତେବେଳେ ଲାଭ କମାଉଥିଲେ ସେତେବେଳେ କେବେ ଲୋକଙ୍କ ଅବସ୍ଥା ବୁଝୁନଥିଲେ ଏବେ ସ୍ୱଳ୍ପ ଶୁଳ୍କ କମାଇ ଦେଇ ବାହାବାହା ନେବା ପାଇଁ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ବିଜେପି ସହ ଶାସକ ବିଜେଡି ମଧ୍ୟ ତୈଳଦରକୁ ନେଇ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଦାବି ଉଠିବାରେ ଲାଗିଛି ।
ତୈଳ ଦରକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ପୋରେଟ ଢାଞ୍ଚାରେ ସରକାର ଚଲେଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଦୀର୍ଘ 7 ବର୍ଷ ଧରି ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ତୈଳ ଦର ସାମାନ୍ୟ ହ୍ରାସ ପାଇଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଦର ହ୍ରାସ କରିବା ପରେ ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ ଟିକସ 3 ଟଙ୍କା ହ୍ରାସ କରିଛନ୍ତି । ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ।
ରାଜ୍ୟ ସରକାର 3 ଟଙ୍କା ପରିବର୍ତ୍ତେ 30 ଟଙ୍କା କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୀର୍ଘ 7 ବର୍ଷ ହେବ ଧରି ତୈଳ ଦର ବୃଦ୍ଧି କରିଚାଲିଥିଲେ । ତେବେ ଏବେ ଯେତିକି ଦର କମାଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ । ଖାଲି ପେଟ୍ରୋଲ ଡିଜେଲ ନୁହେଁ ରନ୍ଧନ ଗ୍ୟାସ ମଧ୍ୟ କମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ମଧ୍ୟରେ ଓ ଡିଜେଲ ଲିଟର ପିଛା ୭୦ ଟଙ୍କା ମଧ୍ୟରେ ରଖାଯାଉ । ରନ୍ଧନ ଗ୍ୟାସ ମଧ୍ୟ ଅତି କମରେ ୫୦୦ ଟଙ୍କା ମଧ୍ୟରେ ରଖାଯାଉ ବୋଲି କହିଛନ୍ତି ଦେବାଶିଷ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ