ଭୁବନେଶ୍ବର: ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା କିଛି ବୈଦେଶିକ ଶକ୍ତିମାନଙ୍କ ସହ ହାତ ମିଶାଇଛି କଂଗ୍ରେସ । ଆଜି(ମଙ୍ଗଳବାର) ଦଳ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ବିଜେପି ରାଜ୍ୟ ସଭାପିତ ସମୀର ମହାନ୍ତି । ତଥ୍ୟ ପ୍ରମାଣ ନଥାଇ ଏକ ରିପୋର୍ଟକୁ ଆଧାର କରି ଫୋନ ହ୍ୟାକିଂ ହେବା କଥା କହିବା ଅତ୍ୟନ୍ତ ଅଯୁକ୍ତିକର ବୋଲି ସେ କହିଛନ୍ତି ।
ଭାରତ ବର୍ଷରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ଏହା ଏକ ନୂତନ ପ୍ରକାର ଏବଂ ନିମ୍ନ ସ୍ତରର ରାଜନୀତି ବୋଲି ସେ କହିଛନ୍ତି । ଘଟଣାରେ ଭାରତର ସଂପୃକ୍ତି ପ୍ରମାଣିତ ହୋଇନାହିଁ । ତଥ୍ୟ ପ୍ରମାଣ ନଥାଇ ଏକ ରିପୋର୍ଟକୁ ଆଧାର କରି ଫୋନ ହ୍ୟାକ ହେବା କଥା କହିବା ଅତ୍ୟନ୍ତ ଅଯୁକ୍ତିକର । ମୋଦି ସରକାରକୁ ଯିଏ ଖରାପ ଭାବେ ଚିତ୍ରଣ କରିବ କଂଗ୍ରେସ ସେହି ବ୍ୟକ୍ତିଙ୍କୁ ସମର୍ଥନ କରିବ ବୋଲି ସେ କହିଛନ୍ତି । ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସର୍ବାଧିକ ସଂଖ୍ୟାରେ ମହିଳା ଏବଂ ଦଳିତ ବର୍ଗ ପ୍ରତିନିଧିତ୍ଵକୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ସହ୍ୟ କରିପାରୁନାହାନ୍ତି । ଏଥିଲାଗି ଅଗଣତାନ୍ତ୍ରିକ ଓ ଆଶଳୀନ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଯୋଜନାବଦ୍ଧ ଭାବେ ଏକ ମିଛ ଖବରକୁ ଆଧାର କରି ମୋଦି ସରକାରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ । ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ହୋହାଲ୍ଲା କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଭଳି ଆଚରଣ କରି ଗଣତନ୍ତ୍ରରେ ଏକ କଳା ଅଧାୟ ସୃଷ୍ଟି କରିଛି କଂଗ୍ରେସ । କିଛି ବିରୋଧୀ ଦଳ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟଗୁଡିକୁ କରିପାରୁନଥିବାରୁ ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା କିଛି ବୈଦେଶିକ ତଥା ବାହ୍ୟ ଶକ୍ତିମାନଙ୍କ ସହ ହାତ ମିଶାଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ