ଭୁବନେଶ୍ବର: ପଞ୍ଚାୟତ ନିର୍ବଚନ ଚାଲିଥିବା ବେଳେ ମମିତା ମେହେର ମାମଲାରେ ପୋଲିସ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟରେ ଦୁଇ ଜଣଙ୍କ ବିରୋଧରେ ଦିଆଯାଇଛି ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କିଛି ବି ଉଲ୍ଲେଖ ନାହିଁ । ଏ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପୋଲିସକୁ ନିରପେକ୍ଷ ତଦନ୍ତ ପାଇଁ ଦାବି କରିବା ସହି କେତୋଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ।
ଏହି ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦାବି କରି କଂଗ୍ରେସ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ରାୟପୁର ଯାଇଥିବା ନେଇ ମନ୍ତ୍ରୀ ଦିବ୍ୟଶଙ୍କର ପୂର୍ବରୁ ମନା କରୁଥିଲେ, ହେଲେ ସେ ଗତ ଅକ୍ଟୋବର 15 ତାରିଖରେ ରାୟପୁର ଯିବା ସହ ଚଣ୍ଡୀଗଡ଼ ଯାଇ 18 ତାରିଖରେ ରାୟପୁର ଦେଇ ଓଡି଼ଶା ଫେରିଛନ୍ତି । ତାପରେ 19 ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରିରୁ ଗିରଫ ହୋଇଛି ।
ତେବେ ଏଠାରେ କଂଗ୍ରେସ ପ୍ରଶ୍ନ କରିଛି ଏହା ସଂଯୋଗ ନା ପ୍ରୟୋଗ ? ମମିତାର ଦେହ ସିନା ଜଳିଯାଇଛି କିନ୍ତୁ ଆତ୍ମା କାନ୍ଦୁଛି । ନିରପେକ୍ଷ ଭାବେ ଓଡିଶା ପୋଲିସ କାମ କରୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ଏହାସହିତ କଂଗ୍ରେସ ଦାବି କରିଛି ଯେ ଅଭିଯୁକ୍ତ ଗୋବିନ୍ଦ ସାହୁ, ଦିବ୍ୟଶଙ୍କର ମିଶ୍ର ଏବଂ ମମିତା ମେହେରଙ୍କର କଲ ରେକର୍ଡ ଯାଞ୍ଚ କରାଯାଉ ।
ଏହାସହିତ ଓଡିଶା ସରକାରର ମନ୍ତ୍ରୀ ଯାଉଛନ୍ତି ବୋଲି ଚଣ୍ଡୀଗଡ଼ ସରକାରଙ୍କୁ ଜଣାଇଛନ୍ତି କି ? ମନ୍ତ୍ରୀ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେଇ ଯାଇଥିଲେ କି ? ଦିବ୍ୟ ଶଙ୍କର ମିଶ୍ର 11 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ କେଉଁଠି ଥିଲେ ଏହା ସ୍ପଷ୍ଟ କରିବାକୁ ମନୋଜ ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ