ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ବୈଠକରେ ସାମିଲ ହୋଇଥିବା ବେଳେ ବିଧାୟକ ମହମ୍ମଦ ମୋକିମ, ସନ୍ତୋଷ ସିଂହ ସାଲୁଜା, ସୁର ରାଉତରାୟ, ଦାଶରଥି ଗମାଙ୍ଗ, ରାଜେନ ଏକ୍କା, ଅଧିରାଜ ପାଣିଗ୍ରାହୀ ଓ ରମେଶ ଜେନା ଉପସ୍ଥିତ ଥିଲେ । ହେଲେ କୈଣସି କାରଣରୁ ଜୟପୁର ବିଧାୟକ ତାରା ବାହିନୀପତି ଅନୁପସ୍ଥିତ ରହିଥିଲେ ।
କଂଗ୍ରେସର ବିଧାନସଭା ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି,ବେରୋଜଗାରୀ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ସରକାରଙ୍କୁ ଘେରିବ କଂଗ୍ରେସ । ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷତା କରିଥିଲେ ।
ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । 5 ଘଣ୍ଟା ପରିବର୍ତ୍ତେ ଦିନକୁ 6 ଘଣ୍ଟା ଗୃହ ଚଳାଇବାକୁ ନେଇ ନିଷ୍ପତ୍ତି ହୋଇଛି । ଜୁଲାଇ 2ରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଦୁଇଟି ପର୍ଯ୍ୟାୟରେ ମୋଟ 24ଟି କାର୍ଯ୍ୟ ଦିବସ ରହିବ ।
ଇଟିଭି ଭାରତ, ଭୁବନେଶ୍ବର