ଭୁବନେଶ୍ବର: ବଦଳିବ କମିସନରେଟ ପୋଲିସ ଢାଞ୍ଚା । ଏବେ ବିଦେଶୀ ପୋଲିସକୁ ଅନୁସରଣ କରିବେ ଓଡିଶା ପୋଲିସ । ଫିଲ୍ମ ଷ୍ଟାଇଲରେ ଗୋଡେଇ ଗୋଡେଇ ଧରିବେ ଅପରାଧୀ । ମୁମ୍ବାଇ-ଦିଲ୍ଲୀ ପୋଲିସ ପରି ଖୁଲାସା ହେବ କ୍ରାଇମ । କାରଣ ଲାଗୁ ହେବ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା(ଏମରଜେନ୍ସି ରେସପନ୍ସ ସିଷ୍ଟମ) ।
ଏନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅତ୍ୟାଧୁନିକ ବ୍ୟବସ୍ଥାରେ କାମ କରିବେ ପୋଲିସ । କୌଣସି ପ୍ରକାର ଅଘଟଣ କିମ୍ବା ଅପରାଧରେ ନେବେ ତ୍ବରିତ ଆକ୍ସନ । କାମ କରିବ ୟୁନିଫାଏଡ କଣ୍ଟ୍ରୋଲ ସିଷ୍ଟମ । ସିସିଟିଭି ସ୍କାନରରେ ରହିବ ଟ୍ବିନ ସିଟି । ଅପରାଧ ଓ ଅପରାଧିଙ୍କ ଗତିବିଧି ଉପରେ ରହିବ ସ୍ବତନ୍ତ୍ର ନଜର । ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବ ହାଇ ଟେକନିକ ପିସିଆର ।
ଅପରାଧକୁ ନିୟନ୍ତ୍ରଣ କରିବା ସହ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବାକୁ ନିଆଯିବ ତୁରନ୍ତ ପଦକ୍ଷେପ । ଏଥିପାଇଁ କମିସନରେଟ ମୁଖ୍ୟାଳୟର ତୃତୀୟ ମହଲାରୁ ପରିଚାଳନା କରିବେ ଜଣେ ଯୁଗ୍ମ କମିସନର । ମୁମ୍ବାଇ ଓ ଦିଲ୍ଲୀ ପୋଲିସ ପରି ସହରର ପ୍ରତିଟି ଗଳିକନ୍ଦିର ଅପରାଧିଙ୍କ ଗତିବିଧି ଉପରେ ରହିବ ନଜର । ଏନେଇ ଯୋଜନା ପରିକଳ୍ପନା କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ପୋଲିସ କମିସନର ।
ସେହିପରି ଲୋକଙ୍କ ସହ ଉତ୍ତମ ସମ୍ପର୍କ ଲାଗି ପିପୁଲ ଫ୍ରେଣ୍ଡଲି ପୋଲିସ ସହ ମହିଳା ସୁରକ୍ଷାକୁ ଦିଆଯିବ ପ୍ରାଧାନ୍ୟ । ସାଇବର କ୍ରାଇମକୁ ରୋକିବା ସହ ଚୁଟକିରେ ଅପରାଧିଙ୍କ ହାଇଟେକ ଚାଲକୁ କାଉଣ୍ଟର କରିବାକୁ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ବ । ଚୋରା ବନ୍ଧୁକ ବେପାର, ବ୍ରାଉନସୁଗାର କାରବାର, ସେକ୍ସ ରାକେଟ ଆଦିକୁ ରୋକିବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହେବ ବୋଲି ପୋଲିସ ଡିଜି କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ