ଭୁବନେଶ୍ବର: କମିଶନରରେଟ ପୋଲିସକୁ ସଫଳତା । ଆର୍ମି କ୍ୟାଣ୍ଟିନ ଟିଭି କହି ଲୋକଙ୍କୁ ଠକୁଥିବା ନକଲି ଆର୍ମି ଅଫିସର ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନଇମ ଖାନ, ମହମ୍ମଦ ସାଜିଦ, ମହମ୍ମଦ ଆସିଫ, ମୁନତିୟାଜ, ଜୁଲଫିକର । ଏହାସହ ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ୩ଟି ମୋବାଇଲ ଫୋନ, ୨୫ହଜାର ୧୦୦ ଟଙ୍କା, ୪୩ ଇଞ୍ଚର ଏଲିଡି ଟିଭି ଏବଂ ସୋନି ବ୍ରାଭିଆ ଟିଭିର ଷ୍ଟିକର ଜବତ କରି ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।
ସୂଚନାଅନୁସାରେ, ଗତ ୧୫ ତାରିଖ ସକାଳ ପ୍ରାୟ ୧୦ଟା ୪୦ ସମୟରେ ୫ ଜଣ ଅଭିଯୁକ୍ତ ଏକ ଧଳା ରଙ୍ଗର ସ୍କର୍ପିଓ ଗାଡିରେ ଇନଫୋଭାଲି ଥାନା ଗଙ୍ଗପଡା ସ୍ଥିତ ଆରୋହି ଭାରତ ପେଟ୍ରୋଲ ପମ୍ପକୁ ଆସିଥିଲେ। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିଜକୁ ଜଣେ ଆର୍ମି ଅଫିସର ମଞ୍ଜିତ ସିଂ ଭାବରେ ପରିଚୟ ଦେଇ ତାଙ୍କୁ ଭୁବନେଶ୍ୱରରୁ ବିଶାଖାପାଟନମ୍ ସ୍ଥାନାନ୍ତର କରାଯାଇଥିବା କଥା କହିଥିଲେ । ତାଙ୍କର ଟ୍ରାନ୍ସଫର ହେତୁ ତାଙ୍କୁ ଟଙ୍କା ଦରକାର ଏବଂ ସେ ସୋନି ବ୍ରାଭିଆ ସ୍ମାର୍ଟ ଏଲିଡି ୪୩ଇଞ୍ଚର ଟିଭି ବିକ୍ରୟ କରିବାକୁ ଚାହୁଁଛନ୍ତି ଯାହାକୁ ସେ ଆର୍ମି କ୍ୟାଣ୍ଟିନରୁ କିଣିଥିଲେ ।
ଅଭିଯୋଗକାରୀ ତାଙ୍କୁ ଟିଭିର ୱାରେଣ୍ଟି କାର୍ଡ ବିଷୟରେ ପଚାରିବାରୁ ଅଭିଯୁକ୍ତ ଜଣକ ବିଶାଖାପାଟନମରେ ପହଞ୍ଚିବା ପରେ ହ୍ବାଟସଆପ ଜରିଆରେ ପଠାଇ ଦେବାକୁ ଆଶ୍ଵାସନା ଦେଇ ଅଭିଯୋଗକାରୀଙ୍କ ଠାରୁ ଟିଭି ବାବଦକୁ ୨୫ହଜାର ଟଙ୍କା ନେଇ ଉକ୍ତ ସ୍ଥାନରୁ ପଳାଇଥିଲେ । ଅଭିଯୋଗକାରୀ କିଛି ସମୟ ଅନ୍ତରାଳରେ ଟିଭି ଯାଞ୍ଚ କରିବା ପରେ ଏହା ଏକ ନକଲି ଏବଂ ଏହା ସୋନି ବ୍ରାଭିଆ ଟିଭି ହୋଇନଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ନିଜକୁ ପ୍ରତିରକ୍ଷା ବିଭାଗର ବ୍ୟକ୍ତି ଭାବରେ ପରିଚୟ ଦେଇ ପ୍ରତାରଣା କରିଥିବାରୁ ଅଭିଯୋଗକରି ଏନେଇ ଇନଫୋଭାଲି ଥାନାରେ ଅଭିଯୋଗ କରିଥିଲେ । ଇନଫୋଭାଲି ପୋଲିସ ପେଟ୍ରୋଲ ପମ୍ପର ଉପଲବ୍ଧ ସିସିଟିଭି ଫୁଟେଜ ଏବଂ ମୋବାଇଲ୍ ଫୋନର ଅନୁସନ୍ଧାନକୁ ଆଧାର କରି ଗୁରୁବାର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ, ଭୁବନେଶ୍ବର