ଭୁବନେଶ୍ବର: ପ୍ରର୍ଦଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ମିଶନ ଶକ୍ତି ମେଳା । ଏହି ମେଳାରେ ଦର୍ଶକଙ୍କ ଖଚାଖଚ ଭିଡ ଜମୁଥିବା ବେଳେ ଆଜିର ସନ୍ଧ୍ୟା ଥିଲା ଖୁବ୍ ନିଆରା । କାରଣ ମେଳାରେ ଚାରଚାନ୍ଦ ଲଗାଇବାକୁ ପ୍ରଦର୍ଶନୀ ପଡିଆରେ ପହଞ୍ଚିଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ମୁଖିଆ ଗାଡିରୁ ଓହ୍ଲାଇବା ପରେ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସାରା ପରିବେଶ । ମୁଖ୍ୟମନ୍ତ୍ରୀଙ୍କୁ ମହିଳା ମାନେ ପାଛୋଟି ନେଇଥିଲେ । ସେଥିମଧ୍ୟରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ବିକ୍ରୟ ହେଉଥିବା କିଛି ସାମଗ୍ରୀ କିଣି ଘରକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ପୁନଃ ପ୍ରକ୍ରିୟାକରଣ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ପରିବେଶ ଉପଯୋଗୀ ପେନଷ୍ଟାଣ୍ଡ, ସବାଇ ଘାସରେ ପ୍ରସ୍ତୁତ ସପିଂବ୍ୟାଗ ଏବଂ କାଠରେ ପ୍ରସ୍ତୁତ ଗହଣା ବାକ୍ସ ରହିଛି ।
ଏହି ସବୁ ସାମଗ୍ରୀ କିଣିବା ସହିତ ସେ ମା' ମାନଙ୍କ ସହିତ ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଥିବା ସେହି ମା' ମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଏହି ମେଳାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ନିର୍ଦେଶକ ସୁଜାତା କାର୍ତ୍ତିକେୟନ ପ୍ରମୁଖ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ସେହିପରି ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ମାଧ୍ୟମରେ ମା' ମାନଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟ ହାତକୁ ନେବାକୁ ଯୋଜନା ରହିଛି । ଏହସହ ସେମାନଙ୍କ ଆର୍ଥିକ କାରବାର ବୃଦ୍ଧି ପାଇଁ ତାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଇ-ମାର୍କେଟିଂ ଜରିଆରେ ବିକ୍ରୟ କରାଯିବ ପାଇଁ ଖୁବଶୀଘ୍ର ଏକ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଥିବା କହିଛନ୍ତି । ଏପରିକି ଭୁବନେଶ୍ବରରେ ବର୍ଷ ସାରା ସେମାନଙ୍କ ସାମଗ୍ରୀର ବିକ୍ରୟ ପାଇଁ ମଧ୍ୟ ବ୍ୟବସ୍ଥା ହେଉଥିବା କହିଛନ୍ତି ମିଶନ ଶକ୍ତି ନିର୍ଦେଶକ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ