କଟକ: ବାରବାଟୀରେ ଫେବୃଆରୀ 9 ତାରିଖରେ ହେବାକୁ ଯାଉଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ କମିଲା ଟିକେଟ ଦର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକ ପରେ ଓଡିଶା କ୍ରିକେଟ ଆସୋସିଏସନ ଏହି ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ‘ଓସିଏ’ ପକ୍ଷରୁ ଧାର୍ଯ୍ୟ କରଯାଇଥିବା ଟିକେଟ ମୂଲ୍ୟରେ ଆସିଛି ବଡ଼ ଧରଣର ପରିବର୍ତ୍ତନ । ଏନେଇ ‘ଓସିଏ’ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦିଆଯାଇଛି ସୂଚନା ।
ପରିବର୍ତ୍ତନ ହୋଇଥିବା ଟିକେଟ ଦର ହେଉଛି, ଗ୍ୟାଲେରୀ ୧ ଓ ୩ ୧୨୦୦ ବଦଳରେ ୧୧୦୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି 2 ଓ 4-ନମ୍ବର ଗ୍ୟାଲେରୀ ଟିକଟ ଦର ୧୦୦୦ ବଦଳରେ ଶହେ ଟଙ୍କା ହ୍ରାସ ପାଇ ୯୦୦ ଟଙ୍କା ହୋଇଛି । ଗ୍ୟାଲରୀ ନମ୍ବର ୫ରେ ଟିକଟ ମୂଲ୍ୟ ୧୫୦୦ ପରିବର୍ତ୍ତେ ୧୨୦୦ ଟଙ୍କା ହୋଇଛି । ୭ ନମ୍ବର ଗ୍ୟାଲେରୀ ୮୦୦ ପରିବର୍ତ୍ତେ ୭୦୦ ଓ ସ୍ପେଶାଲ ଏନକ୍ଲୋଜର ୭୦୦୦ ଟଙ୍କା ପରିବର୍ତ୍ତେ ୬୦୦୦କୁ ଖସିଛି । ସେହିପରି ଏସି ଗ୍ୟାଲେରୀ ବକ୍ସ ୯୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ସ୍ଥିର କରିଛି ଓଡିଶା କ୍ରିକେଟ ସଙ୍ଘ ।
- ପ୍ରସ୍ତୁତି ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ:
ପୂର୍ବ ଭଳି ନ୍ୟୁ-ପ୍ୟାଭିଲୟନ ଓ କର୍ପୋରେଟ ବକ୍ସ ଦର ୧୦,୦୦୦ ଓ ୨୦, ୦୦୦ ରହିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବସିଥିବା ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ‘ଓସିଏ’ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ :- INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA
- ଟିକଟ କଳାବଜାରୀ ରୋକିବା ଉପରେ ପ୍ରାଥମିକତା: କ୍ରୀଡା ମନ୍ତ୍ରୀ
ଏହି ମ୍ୟାଚରେ ପୂର୍ବ ଥର ଅପେକ୍ଷା ଅଧିକ ଦର୍ଶକ କିପରି ଦେଖିବେ ସେ ନେଇ ବ୍ୟବସ୍ଥା କରାଯିବା ସହ କିପରି ଅଧିକ ଲୋକ କାଉଣ୍ଟରରୁ ଟିକେଟ ପାଇ ପାରିବେ ତାହା ବ୍ୟବସ୍ଥା କରାଯାଇଛି । ଟିକେଟ ଦର ପ୍ରକାଶ ପାଇବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା ଏବଂ ଏହାକୁ ପୁନର୍ବିଚାର କରି ଦର ଧାର୍ଯ୍ୟ କରିବାକୁ ଓସିଏ କର୍ତ୍ତୃପକ୍ଷକୁ କୁହାଯାଇଯାଇଥିଲା । କିପରି ସୂଚାରୁ ରୂପେ ଦର୍ଶକ ଆସି ମ୍ୟାଚକୁ ଉପଭୋଗ କରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମ୍ୟାଚ ହେଲେ ଟିକେଟ କଳାବଜାରୀର ଅଭିଯୋଗ ଆସିଥାଏ ଏଥର କଳାବଜାରୀ ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । କ୍ରୀଡା ବିଭାଗର ଏହି ମ୍ୟାଚ ପାଇଁ ପ୍ରସ୍ତୁତି ନିୟମିତ ଭାବେ ‘ଓସିଏ’ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଏବଂ କାର୍ଯ୍ୟକୁ ମନିଟର କରିବେ ବୋଲି କ୍ରୀଡା ମନ୍ତ୍ରୀ ସୂରଜ କହିଥିଲେ ।
ଇଟିଭି ଭାରତ, କଟକ