ଭୁବନେଶ୍ବର: ଯାହା ଗତ ଦୁଇ ଦଶନ୍ଧିରେ ହୋଇନଥିଲା । ତାହା ଏବେ ହେବାକୁ ଯାଉଛି । ଯେଉଁଠି ବସି ରାଜ୍ୟ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାର ପରିଚାଳନା କରୁଥିଲେ । ଏବେ ସେହି ଠିକଣା ବଦଳିବାକୁ ଯାଉଛି । ଲୋକସେବା ଭବନ ପରିବର୍ତ୍ତେ ଏବେ ଖାରବେଳ ଭବନ ହେବ ନୂଆ ଠିକଣା । ଲୋକସେବା ଭବନର ଚର୍ଚ୍ଚିତ ତୃତୀୟ ମହଲାର କାର୍ଯ୍ୟ ଏବେ ହେବ ଖାରବେଳ ଭବନର ସପ୍ତମ ମହଲାରେ । କାହିଁକି ନା ବହୁତ ଜଲଦି ବଦଳିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠିକଣା !
ଲୋକସେବା ଭବନ ପରିବର୍ତ୍ତେ ଖାରବେଳ ଭବନ ସପ୍ତମ ମହଲାକୁ ଉଠିଯିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ! ଏଥିପାଇଁ ଖାରବେଳ ଭବନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନରୁ କରିବେ ସରକାର ଓ ପ୍ରଶାସନର ପରିଚାଳନା । ଏନେଇ ସମସ୍ତ ଆନୁସାଙ୍ଗିକ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯେମିତି ସେଠାରେ କାର୍ଯ୍ୟ କରିବାରେ ମୁଖ୍ୟମନ୍ତ୍ରୀଙ୍କର କୌଣସି ସମସ୍ୟା ନହୁଏ ସେନେଇ ରଖାଯାଉଛି ଧ୍ୟାନ । ରାଜ୍ୟ ତଥା ଦେଶର ଟିକନିଖ ଖବର ଡିଜିଟାଲ ମାଧ୍ୟମରେ ଜାଣିବା ଲାଗି କରାଯାଉଛି ବ୍ୟାପକ ବ୍ୟବସ୍ଥା ।
ଲାଟେଷ୍ଟ ଟେକ୍ନୋଲୋଜିର ସ୍କ୍ରିନ ବ୍ୟବସ୍ଥା କରାଯାଉଛି । ଚକାଚକ୍ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ । ଖାଲି ମୁଖ୍ୟମନ୍ତ୍ରୀ ନୁହେଁ ତାଙ୍କ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ମଧ୍ୟ ଖାରବେଳ ଭବନକୁ ସ୍ଥାନାନ୍ତର ହେବ । ବ୍ୟକ୍ତିଗତ ସଚିବଙ୍କ ସହ ଏକାଠି ବସିବେ ସବୁ ପରାମର୍ଶଦାତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣ ନେଇ ପ୍ରକୃତ କାରଣ ଜଣା ପଡିନାହିଁ । ହେଲେ ଲୋକସେବା ଭବନର ମରାମତି ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉଥିବା ଅନୁମାନ କରାଯାଉଛି । ଦୀର୍ଘ ଦିନ ହେଲା ମରାମତି ଅଭାବରୁ ବିଲ୍ଡିଂରେ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା । ତେଣୁ ପୂର୍ବରୁ ଲୋକସେବା ଭବନର କିଛି ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତେବେ ଖୁବ ଜଲଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବା ନେଇ ସୂଚନା ମିଳିଛି ।
2019 ଅଗଷ୍ଟ 15 ତାରିଖରେ ଖାରବେଳ ଭବନକୁ ଉଦଘାଟନ କରିଥିଲେ ନିଜେ ନବୀନ । 9 ମହଲା ବିଶିଷ୍ଟ ଖାରବେଳ ଭବନରେ ରାଜ୍ୟ ସରକାରଙ୍କର 12 ଟି ବିଭାଗର କାର୍ଯ୍ୟାଳୟ ରହିଛି । 8.3 ଏକର ଜାଗାରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂ ନିର୍ମାଣରେ ଖର୍ଚ୍ଚ ହୋଇଥିଲା 128 କୋଟି ଟଙ୍କା । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ରେଷ୍ଟ ରୁମ ଓ କନ୍ଫରେନ୍ସ ହଲ ରହିଛି । ବିଲ୍ଡିଂରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଚିତ ହୋଇଥିବା ବେଳେ ରହିଛି ଅତିରିକ୍ତ ପାର୍କିଂ ବ୍ୟବସ୍ଥା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ