ଭୁବନେଶ୍ବର: ପ୍ରତ୍ୟାହୃତ ହେଲା ରଘୁରାମ ମାଛଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶ । ନିଲମ୍ବନ ଆଦେଶ ଉଚ୍ଛେଦ ପରେ ବିଜେଡିକୁ ପୁନର୍ବାର ଫେରିଛନ୍ତି କୋରାପୁଟର ବିଜେଡ଼ି (BJD) ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ନିଲମ୍ବନ ଆଦେଶ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।
ଦଳ ବିରୋଧୀ କାର୍ଯ୍ୟ ଲାଗି ରଘୁରାମ ମାଛଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି । ଅଗଷ୍ଟ 1ରେ ତାଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଜି ତାହା ପ୍ରତ୍ୟାହୃତ ହୋଇଛି । କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଥିଲେ ରଘୁରାମ । ୨୦୧୪ରେ ଷ୍ଟାଣ୍ଡିଙ୍ଗ ବିଧାୟକ ରଘୁରାମ ପୋଡାଲଙ୍କ ବଦଳରେ ଦଳ ରଘୁରାମଙ୍କୁ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ସଗରିଆଙ୍କ ଠାରୁ ପରାଜିତ ହୋଇଥିଲେ । ନିର୍ବାଚନରେ ପରାଜିତ ହେବା ପରେ ସେ ଲମତାପୁଟ ବ୍ଲକର ବିଜେଡିର ଦାୟିତ୍ବରେ ଥିଲେ ।
ତେବେ ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଜିଲ୍ଲାର ନେତା ଓ ପର୍ଯ୍ୟବେକ୍ଷକ ମାନେ ଅଭିଯୋଗ କରିଥିଲେ । ନିଲମ୍ବନ ଆଦେଶ ଉଚ୍ଛେଦ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ରଘୁରାମ ।
ରଘୁରାମ କହିଛନ୍ତି, "ମୁଁ ସତ୍ୟରେ ଥିଲି । ବିନା ସ୍ବାର୍ଥରେ ବିଜୁ ଜନତା ଦଳ ପାଇଁ କାମ କରିଚାଲିଛି । କିନ୍ତୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ କୂଟ ଚକ୍ରାନ୍ତ ଯୋଗୁଁ ଦୁଇ ମାସ ତଳେ ମୋତେ ଦଳ ନିଲମ୍ବିତ କରିଥିଲା । ମୋ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ବାସ ଏବଂ ଭରସା ଥିଲା । ତେଣୁ ବିଜୁ ଜନତା ଦଳ(BJD)ରୁ ନିଲମ୍ବନ କରିଯିବା ପରେ ମଧ୍ୟ ଦଳ ନ ଛାଡ଼ି ବିଜୁ ଜନତା ଦଳ ପାଇଁ ଆଗକୁ ମଧ୍ୟ କାମ କରିବି ବୋଲି ଘୋଷଣା କରିଥିଲି । ସତ୍ୟର ବିପକ୍ଷରେ ସେ କେବେ ବି ଯାଆନ୍ତି ନାହିଁ ।" ମୁଖ୍ୟମନ୍ତ୍ରୀ ମୋ ବିରୁଦ୍ଧରେ ଥିବା ଅଭିଯୋଗର ତଦନ୍ତ କରି ଲଗାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି । ତେଣୁ ଧନ୍ୟବାଦ ଜଣାଇଛନ୍ତି ରଘୁରାମ ।
ଭବାନୀ ଶଙ୍କର ଦାସ, ଇଟିଭି ଭାରତ