ଭୁବନେଶ୍ବର: ଟିକା ପାଇଁ ନବୀନଙ୍କ ପ୍ରେସର ଟାକ୍ଟିସ । କେନ୍ଦ୍ର ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିବା ନେତାଙ୍କୁ ସାଙ୍ଗରେ ନେଇ ନବୀନ ଖୋଲିଛନ୍ତି କେନ୍ଦ୍ର ବିରୋଧୀ ମୋର୍ଚ୍ଚା । ଗ୍ଲୋବାଲ ଟେଣ୍ଡରିଂ ନେଇ କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି ଟିକା ମିଳିବାରେ ବିଫଳ ହେବା ପରେ ନବୀନ ଖେଳିଛନ୍ତି ମାଷ୍ଟର କାର୍ଡ । ସବୁବେଳେ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ରାଜ୍ୟର ସ୍ୱାର୍ଥ ହାସଲ କରିବାକୁ ଚେଷ୍ଟା କରୁଥିବା ନବୀନ ନୂଆ ରଣନୀତି କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ସଠିକ ସମୟରେ ସଠିକ ନିଷ୍ପତ୍ତି ନେବାରେ ଏବଂ ବିପର୍ଯ୍ୟୟ ମୁକାବିଲା ହେଉ ପ୍ରଶାସନକୁ ପରିଚାଳନାରେ ସବୁଥିରେ ସିଦ୍ଧହସ୍ତ ନବୀନ ପଟ୍ଟନାୟକ । ଯେତେବେଳେ ରାଜ୍ୟର ସ୍ୱାର୍ଥ ସାମ୍ନାକୁ ଆସେ ସେତେବେଳେ ନବୀନ ଖେଳନ୍ତି ନିଜର ମାଷ୍ଟର ଷ୍ଟ୍ରୋକ । ଟିକାକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦ୍ଵନ୍ଦ । ଏହି ସମୟରେ ରାଜ୍ୟର ସ୍ୱାର୍ଥ ହାସଲ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ନବୀନ ।
କେନ୍ଦ୍ର-ବଙ୍ଗ ବିବାଦ କାହାକୁ ଅଛପା ନାହିଁ । ଯାହାକୁ ନେଇ ବ୍ୟାକଫୁଟରେ ଅଛନ୍ତି କେନ୍ଦ୍ର ସରକାର । ମମତା ହୁଅନ୍ତୁ ଅବା ଅରବିନ୍ଦ, ଉଦ୍ଧବ ହୁଅନ୍ତୁ ଅବା ଷ୍ଟେଲିନ ବିଭିନ୍ନ ପ୍ରସଙ୍ଗରେ ଏମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି । ସେପଟେ ଅଦୃଶ୍ୟ ଭାବେ ଏମାନଙ୍କୁ ସାଥିରେ ନେଇଛନ୍ତି ନବୀନ ପଟ୍ଟନାୟକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବୁଧବାର ନବୀନ ଲେଖିଥିବା ଚିଠି ଏହା ହିଁ ଦର୍ଶାଇଛି । ବିପର୍ଯ୍ୟୟରୁ ମୁକୁଳିବା ଲାଗି ସବୁ ରାଜ୍ୟ ଏକତ୍ର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ବିପର୍ଯ୍ୟୟ ସମୟରେ ସବୁଠୁ ବଡ଼ ନେତା ଭାବେ ସାମ୍ନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ରାଜ୍ୟକୁ ଏକତ୍ର କରି ନିଜ ନିଜ ରାଜ୍ୟ ଲାଗି ଟିକା ଆଣିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଯେତେବେଳେ ନିଜ ଜୀବନ ବଞ୍ଚେଇବା କଥା ଆସିଛି ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ବିରୋଧୀ ରଣନୀତି ସାମ୍ନାକୁ ଆସିଛି ।
ଅପରପକ୍ଷେ, ଅକାଳରେ ପଡି ପୁଣି ରାଜ୍ୟ ସରକାର ୟୁଟର୍ଣ୍ଣ ମାରିଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଗ୍ଲୋବାଲ ଟେଣ୍ଡରିଂ ନେଇ ରାଜ୍ୟ ସରକାର ବାହାସ୍ପଟ ମାରୁଥିଲେ, ବିଫଳ ହେବାରୁ ପୁଣି କେନ୍ଦ୍ରର ଶରଣ ପସିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା ଲେଖାଶ୍ରୀ କହିଛନ୍ତି । ସେପଟେ ଗ୍ଲୋବାଲ ଟେଣ୍ଡରିଂକୁ ନେଇ ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ନବୀନଙ୍କ ରଣନୀତି ନେଇ ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ନାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଧର୍ମେନ୍ଦ୍ର କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖୋଲା ବଜାରରେ ଟିକା ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହାପରେ ଅନେକ ରାଜ୍ୟ ମଧ୍ୟ ଖୋଜା ବଜାରରେ ଟିକା ଉପଲବ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଭାରତ ସରକାର ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ମତାମତକୁ ସମ୍ମାନ ଦେଇ ଟୀକାକରଣ ନୀତିର ବିକେନ୍ଦ୍ରୀକରଣ କରିଛନ୍ତି । ପୁନଶ୍ଚ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେନ୍ଦ୍ରର ଟୀକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକାର ଉପଲବ୍ଧ କରାଯାଉ ବୋଲି ଅନୁରୋଧ କରିଛନ୍ତି । ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାର ବିମର୍ଷ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଜଣାଇଛନ୍ତି ।
ନବୀନଙ୍କ ରଣନୀତି ଯେ ସଠିକ ସ୍ଥାନରେ ଲକ୍ଷ୍ୟ ଭେଦ କରିଛି ତାହା ଧର୍ମେନ୍ଦ୍ରଙ୍କ ରକ୍ଷଣାତ୍ମକ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି । ସେ ଯାହା ହେଉନା କାହିଁକି ନବୀନଙ୍କ ଚାଲରେ କେନ୍ଦ୍ର ସରକାର ଫସିଛନ୍ତି ଏହା ଚର୍ଚ୍ଚା ହେଉଛି । 5 ଥର ନିର୍ବାଚିତ କରି କ୍ଷମତା ଗାଦିରେ ବସାଇଥିବା ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନଙ୍କ ରଣନୀତି ସଫଳ ହୋଇଛି ବୋଲି ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ