ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା। ପାର୍ବଣ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ । ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କୋରୋନା ସହ ଲଢେଇ କରିବା ସହ କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ହାର କମିଛି କହିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ‘ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ପଡିଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାଁନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କୋରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା । ହେଲେ ଏଠାରେ ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡିଶା ଗତ 7 ମାସରେ କୋରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିତ ଦୂରତା ବଜାୟ ରଖିଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର ।’
ନବୀନ ନିଜ ବାର୍ତ୍ତାରେ ପୁଣି କହିଛନ୍ତି, ‘ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋରୋନା ପଜିଟିଭ ମାମଲା କମିବା ଆରମ୍ଭ ହୋଇଛି । ସେପ୍ଟେମ୍ବର 26 ତାରିଖରେ ରାଜ୍ୟରେ ପଜିଟିଭ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସି ଆସିଛି । ପଜିଟିଭ ହାର ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ଶହ ଶହ ପଜିଟିଭ କେସ ବାହାରୁଥିଲା । ଲୋକଙ୍କ ସହଯୋଗ, ସାମ୍ପ୍ରଦାୟିକ ଅଂଶଗ୍ରହଣ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କୋରୋନା ବିଷୟରେ ଅଧିକ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଭଲ ଭାବେ ଆସିପାରିନାହିଁ । ତେଣୁ ଆମକୁ ଔଷଧ ଏବଂ ଟୀକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।
ଆପଣ ୟୁରୋପ ଦେଶ କଥା ଦେଖନ୍ତୁ, ବ୍ରିଟେନ, ଫ୍ରାନ୍ସ, ସ୍ପେନ ଆଦି ଦେଶର ମାର୍ଚ୍ଚ-ଏପ୍ରିଲରେ କୋରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତାପରେ କୋରୋନାର ପିକ୍ ଆସ୍ତେ ଆସ୍ତେ କମିଆସିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବହୁତ ବଢ଼ି ଯାଇଛି । ଆଉ ବର୍ତ୍ତମାନ ଏହା ପୂର୍ବଠାରୁ ଅଧିକ ଭୟଙ୍କର । ସେପ୍ଟେମ୍ବର 1 ତାରିଖରେ ବ୍ରିଟେନ ରେ ପ୍ରତିଦିନ ବାରଶହରୁ ଅଧିକ ପଜିଟିଭ ମାମଲା ଆସୁଥିଲା । ଅକ୍ଟୋବର 8 ତାରିଖରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି ଫ୍ରାନ୍ସରେ ଅଗଷ୍ଟ 31 ରେ ତିନି ହଜାରରୁ ଅଧିକ ପଜିଟିଭ ମାମଲା ଥିବାବେଳେ ଅକ୍ଟୋବର 10 ରେ ଏହା 26 ହଜାରରୁ ଅଧିକ ହେଲାଣି ।
ଆମ ଭାରତ କଥା ଦେଖନ୍ତୁ, ଆମେରିକା ପରେ ଭାରତ ଏବେ ବିଶ୍ବରେ ଦୁଇ ନମ୍ବରରେ ରହିଛି । କେରଳ ବହୁତ ସୁନ୍ଦର ଭାବରେ କୋରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ ଓନମ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ିଯାଇଛି ।
ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କୋରୋନା ଆହୁରି ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ ଓ ପ୍ରର୍ଥନା କରନ୍ତୁ । ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ । ବାହାରକୁ ଗଲେ ମାସ୍କ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ । ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା ଆମ ପରିବାର ହଇରାଣ ହେବେ । ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ । ତେଣୁ ସଂକ୍ରମଣ ଯେପରି ନବଢ଼ିବ ସେଥିପାଇଁ ଆସନ୍ତୁ ମାଆଙ୍କ ପାଖରେ ଶପଥ ନେଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ