ମୁମ୍ବାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଦଲାଲ ଷ୍ଟ୍ରିଟର ଜିଜିଭୟ ଟାୱାର ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ପରିଦର୍ଶନ କରିଛନ୍ତି । ସେଠାରେ ସେ ବିଏସଇ(BSE) କାର୍ଯ୍ୟାଳୟରେ ଓପନିଂ ବେଲ୍ ବଜାଇଛନ୍ତି(Naveen Patnaik Rings BSE Opening Bell) । ଓପନିଂ ବେଲ୍ ରିଂ ଉତ୍ସବରେ ନବୀନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲ୍ ବଜାଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ଆଜି ସେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ।
ଗତ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ( CM Naveen Patnaik) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ଓ ମେକ ଇନ୍ ଓଡିଶା 2022 ସଂସ୍କରଣରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ନବୀନ ପ୍ରଥମେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ ।
ଏହାମଧ୍ୟ ପଢନ୍ତୁ: ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ପ୍ରଶାସନର ଅନୁରୋଧ
ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ ହେଲେ ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ । ଯାହାଫଳରେ ଅର୍ଥନୀତି ସଦୃଢ଼ ହୋଇ ପାରିବ । ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ପରେ ନବୀନ ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଚାଲିବ । ମୁମ୍ବାଇ ପରେ ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଏହି ସମ୍ମିଳନୀ କରାଯିବ ।