ଡାକ୍ତର ଅଜୟ ପରିଡାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପାଦନ କରାଯିବ: ମୁଖ୍ୟମନ୍ତ୍ରୀ - ଅଜୟ ପରିଡ଼ାଙ୍କୁ ମିଳିବ ରାଷ୍ଟ୍ରୀୟ ସମ୍ମାନ
ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Science)ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Science)ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସ୍ବର୍ଗତ ପରିଡା ଜାତୀୟ ସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ । ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିଛି । ଏ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କରୋନା ସମୟରେ ଡାକ୍ତର ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଛନ୍ତି । ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ।"
ଏହା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୁଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସେହିପରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଆସାମ୍ର ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡା । ସେଠାରେ ରହୁଥିବା ହୋଟେଲ ରୁମ୍ରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 2014 ମସିହାରେ ଭାରତ ସରକାର ଡାକ୍ତର ଅଜୟ ପରିଡାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର