ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବାକୁ ଓଡିଶା ପୋଲିସ ପକ୍ଷରୁ ସ୍ବତନ୍ତ୍ର କାର୍ଯକ୍ରମର ଆୟୋଜନ କରାଯାଇଥିଲା । ୟୁନିସେଫ ଓ ଇଣ୍ଡିଆନ ପୋଲିସ ଫାଉଣ୍ଡେସନ ସହଯୋଗରେ ଏହି କାର୍ଯ୍ୟକ୍ରମ ଗୋଟିଏ ବର୍ଷ ଶେଷ କରିଛି । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ର ଗୃହମନ୍ତ୍ରୀ ଓ ଇଣ୍ଡିଆନ ପୋଲିସ ଫାଉଣ୍ଡେସନର ମୁଖ୍ୟ ପୂର୍ବତନ ୟୁପି ଡିଜିପି ପ୍ରକାଶ ସିଂ ଏବଂ ୟୁନିସେଫ୍ ଅଧିକାରୀ ଯୋଗ ଦେଇଥିଲେ ।
ଓଡିଶା ପୋଲିସର 'ପରୀ ପାଇଁ କଥାଟିଏ' କାର୍ଯ୍ୟକ୍ରମ ଦେଶର ପ୍ରଥମ ପୋଲିସ ସୋସିଆଲ କ୍ୟାମ୍ପେନ ଥିଲା । ଯାହାକି ଗୋଟିଏ ବର୍ଷ ଅତିକ୍ରମ କରିଛି । ତାସହ ୟୁନିସେଫ ଇଣ୍ଡିଆନ ପୋଲିସ ଫାଉଣ୍ଡେସନ ଜରିଆରେ ସାଇବର କ୍ରାଇମ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ଆଦି ଦିଗ ଉପରେ ଦୃଷ୍ଟି ଦିଆଯାଇଥିଲା ।
ପୋଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଗୋଳରେ 6 ମାସ ମଧ୍ୟରେ ରିପୋର୍ଟିଂ କରାଯାଇ ଓଡିଶାର ପ୍ରଥମ ଦୁଷ୍କର୍ମ ଘଟଣାର ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଏହି ଦଣ୍ଡାଦେଶ ପରେ ଦୁଷ୍କର୍ମ ଭଳି ଘୃଣ୍ୟ କାମ କରୁଥିବା ଅପରାଧିଙ୍କ ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ ହୋଇଛି । ଉକ୍ତ କାର୍ଯ୍ୟକ୍ରମର ଆଉ ଏକ ଡ୍ରାଇଭ ଜୁଲାଇରୁ ଆରମ୍ଭ ହେବ । ଯାହାକି 'ପରୀ ପାର୍ଟ-୩' ଭାବେ ଆରମ୍ଭ ହେବ।
ମହିଳା ଓ ଶିଶୁଙ୍କୁ ନ୍ୟାୟ ଓ ଅଧିକ ସୁରକ୍ଷା ଦେବା ପାଇଁ ପୋଲିସ ରିଫର୍ମିଂର ଆବଶ୍ୟକତା ରହିଛି ବୋଲି ଉତ୍ତରପ୍ରଦେଶର ପୂର୍ବତନ ଡିଜି ପ୍ରକାଶ ସିଂ କହିଛନ୍ତି । ସେପଟେ ଓଡିଶା ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ପ୍ରଶଂସା ସହ ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେଇଥିବାରୁ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଏଦିଗରେ ଅଧିକ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ