ଭୁବନେଶ୍ବର/ନୂଆପଡ଼ା/ଭବନୀପାଟଣା : କୋଭିଡ ପ୍ରଭାବିତ ଜିଲ୍ଲା କଳାହାଣ୍ଡି ଓ ନୂଆପଡାକୁ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତେବେ ସେମାନେ ଉଭୟ ଜିଲ୍ଲାରେ କୋଭିଡ଼ ସ୍ଥିତି ପରଖିବା ପରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି ।
ଉଭୟ ଜିଲ୍ଲା ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦୁଇ ଦିନ ତଳେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା ବେଳେ ସଂକ୍ରମଣ ବଢ଼ୁଥିବା ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାର 10ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଉକ୍ତ ଜିଲ୍ଲା ରାଜ୍ୟ ସରକାରଙ୍କର ଫୋକ୍ସରେ ରହିଛି । ଏଣୁ ଶନିବାର ମୁଖ୍ୟ ଶାସନ ସଚିବଙ୍କ ସମେତ ଏସିଏସି ଉଭୟ ଜିଲ୍ଲାକୁ ଗସ୍ତ କରିଛନ୍ତି ।
ଗସ୍ତ ସମୟରେ ନୂଆପଡା ସିଲଦାଠାରେ ଥିବା କୋଭିଡ କେୟାର ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବୁଲି ଅନୁଧ୍ୟାନ କରିଛନ୍ତି । ଦେଶବ୍ୟାପୀ ମହାମାରୀ କୋଭିଡ ଦ୍ବିତୀୟ ଲହର ଉଗ୍ରରୂପ ଧାରଣ କରୁଥିବାବେଳେ ଛତିଶଗଡ଼ ରାଜ୍ୟରେ ବହୁ ସଂଖ୍ୟକ କୋଭିଡ ପଜିଟିଭ ଦେଖାଦେଇଛି । ଛତିଶଗଡ଼କୁ ଲାଗିରହିଛି ନୂଆପଡା ଜିଲ୍ଲା । ଫଳରେ ଛତିଶଗଡ଼ ଲିଙ୍କ ନେଇ ନୂଆପଡା ଜିଲ୍ଲାରେ ମଧ୍ୟ ବ୍ୟାପକ ମାତ୍ରାରେ କୋଭିଡ ପଜିଟିଭ ଦେଖାଦେଇଛି । ନୂଆପଡା ଜିଲ୍ଲା ଏକ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା କାରଣରୁ ଏଠାରେ କୋଭିଡ ଗାଇଡ଼ଲାଇନକୁ କଡାକଡି କରାଯାଇଥିବା ସଚିବ ସୂଚନା ଦେଇଛନ୍ତି ।
ଶନିବାର ଛତିଶଗଡ଼ରେ 11ହଜାର 500 କୋଭିଡ ପଜିଟିଭ ଆକ୍ରାନ୍ତ ସକ୍ରିୟ ରହିଥିବାବେଳେ ନୂଆପଡ଼ା ଜିଲ୍ଲାରେ 458 ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ସେଥିମଧ୍ୟରୁ 411 ହୋମ ଆଇସୋଲେସନ ଟାଇମରେ ରହିଥିବା ବେଳେ 47 ଜଣ ନୂଆପଡା କୋଭିଡ କେୟାର ହସ୍ପିଟାଲରେ ଥିବା ସଚିବ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲାର କୋଭିଡ ମ୍ୟାନେଜମେଣ୍ଟ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ପଡୋଶୀ ରାଜ୍ୟରୁ ଆସୁଥିବା ଲୋକମାନେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଆସିପାରିବେ ନଚେତ 7ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟେଟାଇନରେ ରହିବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲା ଭବନୀପାଟଣା କାମଠଣାସ୍ଥିତ ଜିଏନଏମ ସେଣ୍ଟରଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ ପରିଚାଳନା ବୈଠକ କରାଯାଇଛି । ଏଥିରେ ଏସିଏସ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ଡଃ ସିବିକେ ମହାନ୍ତି, ଡିଏଚଏଚ ପ୍ରମୁଖ ବିଜୟ ମହାପାତ୍ରଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଏସପି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ବ ଦିଆଯିବା ସହ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧକୁ ପ୍ରାଥମିକତା ଦିଆଯିବ । ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ 10 ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇବେ । ଏହାସହ ଜିଲ୍ଲାକୁ ଗୋଟିଏ ଲସିଫ ସପୋର୍ଟ ଆମ୍ବୁଲାନ୍ସ ଓ ନୂଆ କୋଭିଡ ହସ୍ପିଟାଲରେ 90ଟି ବେଡ ସହ 6ଟି ଆଇସିୟୁ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, କଳାହାଣ୍ଡିରୁ ଅଜିତ କୁମାର ସିଂ ଓ ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ