ଭୁବନେଶ୍ବର: ବର୍ଷା ସିଜିନରେ ରାଜ୍ୟରେ ହୋଇଛି ସ୍ୱଳ୍ପ ବୃଷ୍ଟି । ବିଦ୍ୟୁତ ଉତ୍ପାଦନକାରୀ ଜଳଭଣ୍ଡାରରେ ରହିଛି ଅପେକ୍ଷାକୃତ କମ ଜଳ । ଆସନ୍ତା ଗ୍ରୀଷ୍ମଋତୁରେ ଦେଖା ଦେଇପାରେ ଶକ୍ତି ସଙ୍କଟ । ଶକ୍ତି ସଙ୍କଟ ସମସ୍ୟାକୁ ଏଡ଼ାଇବା ଲାଗି ଆଗୁଆ ତତ୍ପର ହୋଇଛନ୍ତି ସରକାର । ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଏବଂ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ।
ଲୋକସେବା ଭବନରୁ ଡିଜିଟାଲ ମୋଡ୍ରେ ବୈଠକ ଆୟୋଜିତ ହୋଇଛି । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ଏ ସମ୍ବନ୍ଧୀୟ ସଦ୍ୟତନ ବୈଷୟିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଓ ଚାହିଦା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଯେପରି ବିଦ୍ୟୁତ କାଟ (ଲୋଡ଼ସେଡିଂ) ସମସ୍ୟା ସୃଷ୍ଟି ନହୁଏ ତାହା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡ଼କୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦେଶ ଦେଇଛନ୍ତି । ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନେ ନିଜ ନିଜ ବିଦ୍ୟୁତ ଉତ୍ପାଦନ ୟୁନିଟ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନବୀକରଣ ସହ ସେଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସଂପନ୍ନ ରଖିବାପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୟୁନିଟ୍ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପତ୍ତା ଆଦି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ସେ ମଧ୍ୟ ଗ୍ରୀଡ଼କୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୌର, ତାପଜ ଓ ଅନ୍ୟାନ୍ୟ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ବଢ଼ାଇ ଦିନର ହାରାହାରି ଆବଶ୍ୟକତା ମେଣ୍ଟାଇବା ସହ ଜଳଭଣ୍ଡାର ଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବାଲାଗି ସେ ପରାମର୍ଶ ଦେଇଛନ୍ତି ।
ଚଳିତବର୍ଷ ବର୍ଷାଋତୁରେ କମ୍ ବୃଷ୍ଟିପାତ ହାର ଯୋଗୁ ବିଦ୍ୟୁତ ଉତ୍ପାଦନକାରୀ ଜଳଭଣ୍ଡାରରେ ଅପେକ୍ଷାକୃତ କମ ଜଳ ଅଛି । ଏହାକୁ ସଠିକ୍ ଭାବେ ସଂରକ୍ଷଣ ଓ ପରିଚାଳନା କରି ଆଗାମୀ ବର୍ଷାଋତୁ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଡ୍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଜଣାଇଛନ୍ତି ଯେ, ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଗ୍ରୀଡ଼କୋ ପାଖରେ ବଣ୍ଟନ ପାଇଁ ପ୍ରାୟ ୭, ୬୫୧ ମେଗାୱାଟ୍ ବିଦ୍ୟୁତ୍ ଅଛି । ଏଥିରୁ ପ୍ରାୟ ୧୨୯୫ ମେଗାୱାଟ୍ ଅଣ - ପାରମ୍ପରିକ ଉତ୍ସରୁ ଉତ୍ପାଦିତ ହେଉଛି । କେତେକ ତାପଜ ଏବଂ ଜଳଜ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାରେ ଯାନ୍ତ୍ରିକ ତୃଟି ହେତୁ ଚଳିତମାସ ପ୍ରାୟ ୧୭୦୦ ମେଗାୱାଟ୍ ଉତ୍ପାଦନ କମିଛି । ତେବେ ଚଳିତ ଋତୁରେ ଦୈନିକ ସର୍ବାଧିକ ଚାହିଦା ପ୍ରାୟ ୩୩୫୦ ମେଗାୱାଟ ଅଛି । ବିଭିନ୍ନ ଉତ୍ସରୁ ବିଦ୍ୟୁତ ସଂଗ୍ରହକରି ଗ୍ରୀଡ଼କୋ ଏହି ଚାହିଦା ପୂରଣ କରୁଛନ୍ତି ।
ଗ୍ରୀଷ୍ମଋତୁର ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪୦୦୦ ମେଗାୱାଟ୍ରୁ ଅଧିକ ହୋଇପାରେ । ଏହାକୁ ଦୃଷ୍ଟିରେ ରଖ୍ ତାପଜ ଓ ସୌରସ୍ରୋତ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନେ ନିଜ ନଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜଳଭଣ୍ଡାର ଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ