ଭୁବନେଶ୍ବର: ଲୁଣାଘେରି ବନ୍ଧ ଏବଂ ବନ୍ୟାବନ୍ଧଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକରି ଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ପ୍ରକଳ୍ପ ପ୍ରସ୍ତୁତ ହେବ । ଏନେଇ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଦ୍ରୁତ ପରିବର୍ତ୍ତିତ ହେଉଥିବା ଜଳବାୟୁ ଯୋଗୁଁ ସାମୁଦ୍ରିକ ବାତ୍ୟା ଓ ଜୁଆରର ପୁନଃ ପୌନିକତା ଏବଂ ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ଼ରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଉଚ୍ଚ ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ, ଚାଷ କ୍ଷେତ ଓ ଜନବସତିକୁ ଲୁଣା ଜୁଆର ପ୍ରବେଶ ଏବଂ ସମ୍ଭାବ୍ୟ ଲୁଣା ଜୁଆର ଯୋଗୁଁ ରାଜ୍ୟ ପ୍ରଭାବିତ ହେଉଛି । ଏହାର ମୁକାବିଲା ପାଇଁ ରାଜ୍ୟରେ ଥିବା ଭିତ୍ତିଭୂମି ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ।
ବଢିବ ଉଚ୍ଚତା, ଦୃଢ଼ୀକରଣ ହେବ ଲୁଣାଘେରି ବନ୍ଧ-ବନ୍ୟାବନ୍ଧ ଉଚ୍ଚ ସମୁଦ୍ର ଜୁଆର ପଶି ଆସିବା ସମ୍ଭାବନା ଥିବା ସମ୍ବେଦନଶୀଳ ସ୍ଥାନ ଗୁଡ଼ିକୁ ଚିହ୍ନଟ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାର ମୁକାବିଲା ନିମନ୍ତେ ଲୁଣାଘେରି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମୁଦ୍ର ଉପକୂଳର ମୂର୍ତ୍ତିକା ସଂରଚନା ଏବଂ ଭୂତାତ୍ତ୍ବିକ ଅନୁଶୀଳନ ପୂର୍ବକ କେଉଁ କେଉଁ ସ୍ଥାନରେ ବୈଷୟିକ କୌଶଳ ପ୍ରୟୋଗ ଫଳପ୍ରଦ ହେବ ତାହା ନିର୍ଣ୍ଣୟ କରିବାକୁ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଯେଉଁ ବିପଦସଙ୍କୁଳ ସ୍ଥାନମାନଙ୍କରୁ ଜନବସତି ସ୍ଥାନାନ୍ତର ବ୍ୟତୀତ ଅନ୍ୟ ଉପାୟ ନାହିଁ ତାହା ଚିହ୍ନଟ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଓଡ଼ିଶାରେ ଭାରତ ଉପକୂଳର ପ୍ରାୟ ୧୭ ପ୍ରତିଶତ ଥିବାବେଳେ ରାଜ୍ୟ ପ୍ରାୟ ୩୫ ପ୍ରତିଶତ ସାମୁଦ୍ରିକ ବତ୍ୟା ଓ ଜୁଆର ଆଦି ବିପଦର ସମ୍ମୁଖୀନ ହୋଇଥାଏ । ସାରା ବିଶ୍ବରେ ଓଡ଼ିଶା ୬ଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ । ତା'ଛଡ଼ା ଉପକୂଳ ବର୍ଜୀ ଅଂଚଳ ପ୍ରାୟ ସମତଳ ଭୂମି । ଏହା ଉର୍ବର ଚାଷଜମି ଏବଂ ଏସବୁ ଅଂଚଳରେ ଜନବସତିର ଘନତା ମଧ୍ୟ ଅଧିକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି । ମୁଖ୍ୟତଃ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଆଦି ଜିଲ୍ଲାରେ ଗତବର୍ଷମାନଙ୍କରେ ପ୍ରାୟ ୧, ୬୩୬ କି.ମି. ଲୁଣା ଘେରି ଏବଂ ୫ , ୮୬୪ କି.ମି. ବନ୍ୟାଘେରି ବନ୍ଧ ନିର୍ମାଣ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି । ଏହି ସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ଆସିଛି । ଏବଂ ବହୁ ଅଂଚଳରେ ଲୁଣାପାଣି ମାଡ଼ି ଯାଇଛି । ବାତ୍ୟାର ତୀବ୍ରତା ଏବଂ ସଂଖ୍ୟାଧିକତା ଦୃଷ୍ଟିରୁ ଭବିଷ୍ୟତ ପାଇଁ ଲୁଣା ଏବଂ ବନ୍ୟାଘେରୀ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକୁ ଦୃଢିକରଣ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି । ସମୁଦ୍ର କୂଳରେ ବାସ କରୁଥିବା ବା ସମୁଦ୍ର କୁଳରେ ଚାଷ ଜମିଥିବା ଜନସାଧାରଣଙ୍କ ସହ ସିଧା ସଳଖ ଭାବେ ଆଲୋଚନା କରି ଲୁଣାବନ୍ଧ ଦୃଢ଼ିକରଣର ପ୍ରୟୋଜନୀୟତା ଏବଂ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଏହାର ଉପକାର ବିଷୟରେ ସେମାନଙ୍କୁ ଅବଗତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଲୁଣା ଘେରି ଦୃଢ଼ୀକରଣ ହେଲେ ସେମାନଙ୍କର ଜନଜୀବନ ଏବଂ ଚାଷ କ୍ଷେତ ସମ୍ଭାବ୍ୟ ଉଚ୍ଚ ଜୁଆରରୁ ସୁରକ୍ଷା ପାଇବ ବୋଲି ବୁଝାଇବାକୁ କହିଛନ୍ତି । ଏହା ହେଲେ ସମୁଦ୍ର କୂଳବର୍ତ୍ତୀ ଗ୍ରାମର ଲୋକମାନେ ପ୍ରକଳ୍ପ ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବେ । ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିଶନର ଡଃ କମଳ ଲୋଚନ ମିଶ୍ରଙ୍କ ସମେତ ଜଳ ସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ