ଭୁବନେଶ୍ବର: ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି । ଗତ ବର୍ଷ ଏହି ସମୟ ସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟର ରାଜସ୍ୱ ସଂଗ୍ରହ ଏବଂ ବଜେଟ୍ ଅର୍ଥ ବିନିଯୋଗ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ବିଭାଗୱାରୀ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପ୍ରକଳ୍ପ ଓ ଯୋଜନା କ୍ଷେତ୍ରୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପର ଗୁଣାତ୍ମକମାନ ବଜାୟ ରଖିବା ସହ ବିନିଯୋଗ ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ ସୁବିଧା ପାଇପାରିବେ ସେ ଦିଗ ଉପରେ ଲକ୍ଷ୍ୟ ଦେବା ପାଇଁ ବିଭାଗମାନଙ୍କୁ କୁହାଯାଇଛି । ଜିଲ୍ଲା ପରିଦର୍ଶନ ସମୟରେ ସଚିବ ଏବଂ ସ୍ୱତନ୍ତ୍ର ସଚିବମାନେ ସବୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କାର୍ଯ୍ୟକାରୀତା ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
![ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରାୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-07-cs-meeting-7209787_26092022210814_2609f_1664206694_501.jpg)
ନୂଆଭାବେ ନିର୍ମିତ ପାଇପ ଯୋଗେ ପାନୀୟ ଜଳଯୋଗାଣ, ଉଠା ଜଳସେଚନ ପଏଣ୍ଟ୍, ବିଦ୍ୟୁତ ସବ ଷ୍ଟେସନ୍ ଓ ଯୋଗାଣ, ବିଦ୍ୟାଳୟ ରୂପାନ୍ତରଣରେ ସ୍ଥାପିତ ସୁବିଧା ସୁଯୋଗର ବ୍ୟବହାର ଆଦି ପ୍ରକଳ୍ପର କାର୍ଯ୍ୟକାରୀତା ସମୀକ୍ଷା କରି ସେଗୁଡିକୁ ପୂର୍ଣ୍ଣ କର୍ମକ୍ଷମ କରିବା ଦିଗରେ ଥିବା କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଋତୁ ଶେଷ ହେଉଥିବାରୁ ସମସ୍ତ ପ୍ରକଳ୍ପର ଟେଣ୍ଡର ଏବଂ ଠିକାଦାର ଚୁକ୍ତି ସାରି ଶୀଘ୍ର କ୍ଷେତ୍ରାୟନ ଆରମ୍ଭ କରିବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି ।
ଆସନ୍ତା ଆର୍ଥିକ ବର୍ଷରେ ବଜେଟରେ ସମ୍ବାବ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଛି । ଗତ ବର୍ଷ ଅଗଷ୍ଟ ମାସ ଶେଷସୁଦ୍ଧା ରାଜ୍ୟ ଟିକସ୍-ରାଜସ୍ୱ ୧୪,୭୩୧ କୋଟି ଥିବାବେଳେ, ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦.୩୦ ଶତକଡା ଅଧିକ ।
![ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରାୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-07-cs-meeting-7209787_26092022210814_2609f_1664206694_1035.jpg)
ସେହିପରି ଅଣ-ଟିକସ ରାଜସ୍ୱ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବାବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚିଛି । ଏ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୧.୩୯ ପ୍ରତିଶତ ବୃଦ୍ଧି ଘଟିଛି । ଏହିପରି ସମୁଦାୟ ଟିକସ ଓ ଅଣ-ଟିକସ୍ ରାଜସ୍ୱରେ ସାମଗ୍ରିକ ଭାବେ ହାରାହାରି ୧୫.୫୫ ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ ବିନିଯୋଗ ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ଅଗଷ୍ଟମାସ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଚଳିତ ବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି ଟଙ୍କାରେ ପହଞ୍ଚିଛି ।
ଭିତ୍ତିଭୂମି ବିକାଶ, କୃଷି, ପାନୀୟଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତିକରଣ ଆଦି ପ୍ରକଳ୍ପରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ବିନିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟ, ଜଳ ସଂପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର