ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମଦର୍ସ ପବ୍ଲିକ ସ୍କୁଲର ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ହାସଲ କରିଥିବା ଛାତ୍ରୀମାନେ । ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରିଥିବା ଛାତ୍ରୀମାନଙ୍କୁ ନବୀନ ନିବାସରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଛାତ୍ରୀମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ।
ସୂଚନା ଅନୁସାରେ,ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖି କୃତିତ୍ବ ହାସଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିବା ବେଳେ ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ ସ୍ବୟଂଶ୍ରୀ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ବୋଲି କହିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଚାହାଁନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଏଥିସହ ସ୍କୁଲର ପ୍ରିନସିପାଲ ଓ ଭାଇସ ପ୍ରିନସିପାଲ ମଧ୍ୟ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର