ଭୁବନେଶ୍ବର: ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିରିକ୍ତ ସ୍ବାସ୍ଥ୍ୟ କେନ୍ଦ୍ର, କଟକରେ ଫୁସଫୁସ ମେଡିସିନ ସଂକ୍ରାନ୍ତୀୟ ଉତ୍କର୍ଷ କେନ୍ଦ୍ର, ଡେଙ୍ଗୁ ଡାଇରିଆ ୱାର୍ଡ ଓ ରକ୍ତ ବର୍ଗୀକରଣ ୟୁନିଟ୍ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ନବରଙ୍ଗପୁରରେ RT PCR ଟେଷ୍ଟ ଲାବ୍ରୋଟୋରୀ ଉଦ୍ଘାଟିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସି ଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ ଲାବ୍ରୋଟୋରୀର ମଧ୍ୟ ଉଦଘାଟନ କରିଛନ୍ତି । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
କୋରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅକ୍ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା। ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନରୁ ମଧ୍ୟ ଅକ୍ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ସମସ୍ତ ପ୍ରମୁଖ ହସ୍ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡିଶା ବର୍ତ୍ତମାନ ଅକ୍ସିଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଓଡିଶା ଏକ ନୂଆ ଆଶା ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ପରାକାଷ୍ଠାକୁ ପ୍ରଶଂସା କରିଛନ୍ତି ନବୀନ। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ଓଡିଶା ତୃତୀୟ ଲହରୀର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଏହା ଦ୍ବାରା ଆଗାମୀ ଦିନରେ ଓଡିଶା କୋଭିଡ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିପାରିବ ବୋଲି ଆଶାପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ, ନବରଙ୍ଗପୁର ବିଧାୟକ ଆଦି ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବର୍ତ୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ RT-PCR ଟେଷ୍ଟ ଲାବ୍ରୋଟୋରୀ କରାଯାଇଛି। ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାମାତ୍ର କହିଛନ୍ତି । ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ