ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲାରେ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି । ପ୍ରତିଦିନ ରାଜ୍ୟରେ କୋରୋନା ମୃତ୍ୟୁ ହେଉଥିବାବେଳେ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ତଥ୍ୟ ଦେଇ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିପାଇଁ ରାଜ୍ୟର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ବାଲେଶ୍ଵର ଜିଲ୍ଲାର ଏକ ଘଟଣାକୁ ପ୍ରମାଣ ସ୍ୱରୂପ ଦର୍ଶାଇ କଂଗ୍ରେସ କହିଛି ଯେ, ଏପର୍ଯ୍ୟନ୍ତ ବାଲେଶ୍ଵରରେ 100ରୁ ଊର୍ଦ୍ଧ୍ବ କୋରୋନାରେ ମୃତ୍ୟୁ ହୋଇଥିବାବେଳେ ମୁକ୍ତିଦ୍ୱାର କମିଟି ପାଖାପାଖି 82ଟି ଶବ ସତ୍କାର କରିଛି । କିନ୍ତୁ ସରକାର ଜିଲ୍ଲାରେ 21 ଜଣଙ୍କ କୋରୋନା ଦ୍ୱାରା ମୃତ୍ୟୁ ହୋଇଥିବା କହୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।
ସେହିପରି କଂଗ୍ରେସ ଆହୁରି ଦାବି କରିଛି କି, ରାଜ୍ୟ ସରକାର କୋରୋନା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାର ପ୍ରମାଣ ହେଉଛି ରାଜ୍ୟରେ ମେଡ଼ିକାଲମାନଙ୍କରେ ଯେତିକି ପରିମାଣରେ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକ ତାହାର ଅଭାବ ରହିଛି । ଯାହା ଫଳରେ ଲୋକେ ଉପଯୁକ୍ତ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ପ୍ରାଣ ହରାଇଛନ୍ତି । ତେବେ ସରକାର ଏହି ମିଛ ରିପୋର୍ଟକୁ ଉପସ୍ଥାପନ କରି ମିଛ ସାର୍ଟିଫିକେଟ ପାଇଁ ଯେଉଁ ବାହାବା ନେଉଛନ୍ତି ସେଥିରୁ ବିରତ ରୁହନ୍ତୁ ବୋଲି କଂଗ୍ରେସ କହିବା ସହ ରାଜ୍ୟ ସରକାର ଏହି ମିଛ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ