ଭୁବନେଶ୍ବର: ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଲେଖାଯାଇଛି, ‘ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ।’
ସୂଚନାଯୋଗ୍ୟ, ସ୍ବିଡେନରେ ବାସ କରୁଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆ, ଅନୁଗୁଳ ଜିଲ୍ଲା କନ୍ଧପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ପାଠପଢା ସହିତ ଚିତ୍ରକଳା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେ ପିଲାବେଳେ ବୈଷମ୍ୟତାର ଶିକାର ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟପଥରୁ ଓହରିନଥିଲେ । ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ପାଠ ପଢିଥିଲେ । ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି । ତାଙ୍କର କଳାପ୍ରତି ଦୁର୍ବଳତା ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଛି ।
ଏକଦା ଦିଲ୍ଲୀରେ ସ୍ବିଡେନର ଚାରଲୋଟ ଭୋନ୍ଙ୍କ ସହ ମହାନନ୍ଦିଆଙ୍କ ଭେଟ ହୋଇଥିଲା । ତାଙ୍କ ଚିତ୍ରକଳାରେ ମୁଗ୍ଧ ହୋଇ ଚାରଲୋଟ ତାଙ୍କ ପ୍ରେମରେ ପଡିଥିଲେ ଓ ଶେଷରେ ବିବାହ କରିଥିଲେ । ବିବାହ ପରେ ଚାରଲୋଟ ସ୍ଵିଡେନ ଫେରି ଯାଇଥିଲେ। ହେଲେ 1977 ମସିହାରେ ମହାନନ୍ଦିଆ ନିଜର ସବୁକିଛି ବିକ୍ରି କରି ଏକ ସାଇକେଲ କିଣିଥିଲେ । ସେହି ସାଇକେଲରେ ସେ ସ୍ବିଡେନ ଯାତ୍ରା କରିଥିଲେ । ଦୀର୍ଘ 5 ମାସର ସାଇକେଲ ଯାତ୍ରା ପରେ ସେ ସ୍ବିଡେନରେ ନିଜ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ସେଠାରେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ବସବାସ କରିଥିଲେ । ପ୍ରେମ ପାଇଁ ତାଙ୍କ ଉଦ୍ୟମଙ୍କୁ ବିଶେଷ ପ୍ରଶଂସା କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ