ଭୁବନେଶ୍ବର: ରାଜ୍ୟର ପ୍ରତି ବ୍ଲକ୍ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍(Chhatua producing units) । SHG ମାନଙ୍କୁ ଉଦ୍ୟୋଗିତା ନିମନ୍ତେ ଦିଆଯିବ ପ୍ରୋତ୍ସାହନ । ଏହି କାର୍ଯ୍ୟକ୍ରମ ମହିଳା SHG ଗୁଡିକୁ ସୁସଂଗଠିତ କରିବ । ଏହା ସହିତ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି କହିଛନ୍ତି MSME ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ।
ସ୍ବୟଂ ସହାୟିକ ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବାକୁ ରହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ରାଜ୍ୟର ୩୧୪ଟି ବ୍ଲକ୍ରେ ଛତୁଆ ପ୍ରସ୍ତୁତ ୟୁନିଟ୍ ସ୍ଥାପନ ହେବ । ଏ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରତି ବ୍ଲକ୍ରେ କାର୍ଯ୍ୟକ୍ଷମ ହେବ ।
ଏହା ମଧ୍ୟ ପଢନ୍ତୁ: ଶିକ୍ଷାନୁଷ୍ଠାନରେ COVID ନିୟମ କଡାକଡି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏକ ଦୀର୍ଘମିଆଦୀ ଯୋଜନା ଭାବେ ଏହାକୁ ଗ୍ରହଣ କରି ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପର୍ଯ୍ୟାୟ କ୍ରମେ ବ୍ୟାଙ୍କର୍ସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରାଯାଇ ଯୋଜନାର ଚୂଡ଼ାନ୍ତ ରୂପ ଦିଆଯାଇଛି । ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନୁବନ୍ଧିତ ହୋଇଛି ।
ପ୍ରତ୍ୟେକ କେନ୍ଦ୍ରରେ ପ୍ରସ୍ତୁତ ଛତୁଆର ମାନ ନିର୍ଦ୍ଧାରଣ ସହ ଅତ୍ୟାଧୁନିକ ମାନ ପରୀକ୍ଷଣ କେନ୍ଦ୍ର ଏବଂ ଉତ୍ତମ ପ୍ୟାକେଜିଂ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଫଳରେ ବିଭିନ୍ନ ବ୍ଲକ୍ରେ ପ୍ରସ୍ତୁତ ହେଉଥିବା ଛତୁଆର ମାନ ସର୍ବତ୍ର ସମାନ ରହିବ ବୋଲି କୁହାଯାଇଛି । ଇତି ମଧ୍ୟରେ MSME ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକ୍ରେ ଛତୁଆ ପ୍ରସ୍ତୁତ କରୁଥିବା SHGଙ୍କର ତାଲିକା ଜିଲ୍ଲାପାଳମାନଙ୍କୁ ପଠାଇଛି ।
ପ୍ରତି ଛତୁଆ ପୁସ୍ତୁତି ୟୁନିଟ୍କୁ ୧୮ରୁ ୨୦ ଲକ୍ଷ ଟଙ୍କା ଆର୍ଥିକ ଋଣ ବ୍ୟାଙ୍କମାନଙ୍କ ଜରିଆରେ ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି । ଏଥିରେ ୩୫ ଶତକଡ଼ା ଋଣ ସବ୍ସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ ମହିଳା ଏସ୍ଏଚ୍ଜିଗୁଡ଼ିକୁ ସୁସଂଗଠିତ କରିବା ସହିତ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ । ଏହା କହିଛନ୍ତି ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ ଉନ୍ନୟନ ଯୋଜନା (PMFME) ଅଧୀନରେ ସଂଚାଳନ କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ