ଭୁବନେଶ୍ବର: ଛତିଶଗଡର ରାଇଗଡରେ କଳ୍ପନା ଓ ବବଲି ମର୍ଡର ଘଟଣାର ତଦନ୍ତରେ ଭୁବନେଶ୍ବରରେ ଚାଲିଛି ଛତିଶଗଡ ପୋଲିସର ଖୋଳତାଡ। ଆରମ୍ଭ କରିଛି ଅନୁପଙ୍କ ବିରୋଧରେ ଛାନଭିନ। ପ୍ରଥମେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ 2016 ପୁର୍ବରୁ ପାସେଞ୍ଜର ଲିଷ୍ଟ ଆଧାରରେ ତଦନ୍ତ କରିଛି।
କେତେଥର କଳ୍ପନା ଓ ଅନୁପ ରାଜ୍ୟ ବାହାରକୁ ଯାଇଛନ୍ତି, ତା’ ସହିତ ତାଙ୍କ ସହ ଆଉ କିଏ ଯାଇଛନ୍ତି ସେନେଇ ରେକର୍ଡ ବାହାର କରାଯାଇଛି। ଏଥିସହ ମର୍ଡର ପରେ ଅନୁପ କେଉଁ ସ୍ଥାନକୁ ଯାଇଥିଲେ, କଳ୍ପନା ଓ ତାଙ୍କ ଝିଅ ବବଲିକୁ ନେଇ ସୁନ୍ଦରପଦାରେ ରହୁଥିବା ଫ୍ଲାଟର ଏଗ୍ରିମେଣ୍ଟ ଏବଂ ଫ୍ଲାଟ ପାଖରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ବବଲି ପଢୁଥିବା ସ୍କୁଲରେ ମଧ୍ୟ ପାରେଣ୍ଟ ଲିଷ୍ଟ ଓ ଆଟେଣ୍ଡାଣ୍ଟ ଲିଷ୍ଟ ଆଦି ତଥ୍ୟ ଯାଞ୍ଚ କରି ପ୍ରମାଣ ଯୋଗାଡ କରିଛି ଛତିଶଗଡ ପୋଲିସ।
ତେବେ ଛତିଶଗଡ ପୋଲିସ ଅନୁପଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରୁଛି ଯାହା ତାଙ୍କୁ ଜାମିନ ନ ମିଳିବାରେ ସହାୟକ ହେବା ସହ ମାମଲାରେ ଅନୁପଙ୍କୁ ସଜ୍ଜା ଦେବାରେ ସହାୟକ ହେବା ପାଇଁ ପୋଲିସ ନିଜ ଉଦ୍ୟମ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ