ଭୁବନେଶ୍ବର: ଗତ ତିନି ଦିନ ଧରି ଅସହ୍ୟ ତାତିରେ ସିଝୁଥିଲେ ଓଡ଼ିଶାବାସୀ । ତେବେ ଆଜିଠାରୁ(ଶୁକ୍ରବାର) ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ଏବଂ ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଓଡି଼ଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଯଦ୍ବାରା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳଗୁଡିକରେ କାଳବୈଶାଖୀ ହେବା ନେଇ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆସନ୍ତା ୨୪ ଘଣ୍ଟା ତଥା ଶନିବାର ସୁଦ୍ଧା ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗତ ୨୪ ଘଣ୍ଟାରେ ତାଳଚେର ଓ ଅନୁଗୁଳ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ଓ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ