ଭୁବନେଶ୍ବର: ରାଜଧାନୀରେ ଅଥୟ କରୁଥିଲେ ଛିନତାଇ ଗ୍ଯାଙ୍ଗ। ଗଳି ରାସ୍ତା କି ମେନ ରୋଡ ଯେଉଁଠୁ ପାରୁଥିଲେ ସେଇଠୁ ଝାମ୍ପି ନେଉଥିଲେ। ସୁପର ବାଇକରେ ଧରି ଛୁ ମାରୁଥିଲେ। ହେଲେ ବାଇକରେ ଲାଗିଥିବା ଚିହ୍ନ ଅର୍ଥାତ ମହାକାଲ ଲେଖାଥିବା ଷ୍ଟିକର ଧରାଇଦେଲା ଅଭିଯୁକ୍ତଙ୍କୁ।

ନୟାପଲ୍ଲୀ ଏନ୧ ଠାରେ ସିଆରପିଏଫ କ୍ଯାମ୍ପସରେ ରହୁଥିବା ଜଣେ ମହିଳାଙ୍କର ଚେନ ଝାମ୍ପିନେବା ପରେ ସିସିଟିଭିରେ ରେକର୍ଡ ହୋଇଥିଲା ଦୃଶ୍ୟ। ଗାଡିର ଆଗରେ 3ଟି ନାଲି ଗାର ସହ ହିନ୍ଦିରେ ମହାକାଲ ଲେଖାଥିବା ଷ୍ଟିକର ଧରାଇଦେଲା ଅଭିଯୁକ୍ତ ଦୁଇ ଜଣଙ୍କୁ । ପଚରାଉଚରା ବେଳେ ୫ ଜଣିଆ ଗ୍ଯାଙ୍ଗର ହୋଇଥିଲା ପର୍ଦ୍ଦାଫାଶ। ୮ଟି ସୁନା ଚେନ ସହ ୨ଟି ବାଇକ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ।

ସେମାନେ ହେଲେ ନୟାଗଡ ଇଟାମାଟିର ରମେଶ ନାୟକ, ସର୍ବେଶ୍ବର ଗୋଚ୍ଛାୟତ, ଖଣ୍ଡପଡାର ବୁଲୁ ନାୟକ, ପୁରୀ ବ୍ରହ୍ମଗିରିର ସୁଶାନ୍ତ ମହାରଣା ଓ ଭୁବନେଶ୍ବର ବଡଗଡର ଲୋଚନ ବେହେରା। ଏମାନଙ୍କ ନାଁରେ ରାଜଧାନୀର ନୟାପଲ୍ଲୀ, କ୍ଯାପିଟାଲଥାନା, ଖଣ୍ଡଗିରି ଏବଂ ମଞ୍ଚେଶ୍ବର ଭଳି ଥାନାରେ ଗଣ୍ଡା ଗଣ୍ଡା କେସ ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ