ଭୁବନେଶ୍ବର: ଆଜି (ଶନିବାର) ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର 30ରେ ହେବ ସ୍ଥଗିତ ଥିବା ପିପିଲି ଉପ ନିର୍ବାଚନ । ଅକ୍ଟୋବର 3ରେ ଭୋଟ୍ ଗଣତି କରାଯିବ । ପିପିଲି ଉପନିର୍ବାଚନ ନେଇ ପୂର୍ବରୁ ଅଟକି ରହିଥିବା ପ୍ରକ୍ରିୟାରୁ ହିଁ ଆରମ୍ଭ ହେବ । ପୂର୍ବରୁ ସମସ୍ତ ଦଳ ପ୍ରାର୍ଥିପତ୍ର ଦାଖଲ କରିସାରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
କୋଭିଡ଼ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଜାରି କରିଥିବା କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ପାଳନ କରାଯିବ । ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର 30 ପ୍ରତିଶତ କିମ୍ବା ସର୍ବାଧିକ 2 ଶହ ଲୋକ ସାମିଲ ହୋଇପାରିବେ । ଆଉଟ ଡୋର କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ ହୋଇପାରିବେ । ଷ୍ଟାର କ୍ୟାମ୍ପେନର ବା ତାରକା ପ୍ରଚାରକଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ 5 ଶହ ଲୋକ ଭାଗ ନେଇ ପାରିବେ । ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ । ସମସ୍ତ କୋଭିଡ଼ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ ।
କୋଭିଡ଼ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । ଜଣାଶୁଣା ଦଳ ପାଇଁ 20 ଜଣ ଓ ଛୋଟ ଦଳ ପାଇଁ 10 ଜଣ ଷ୍ଟାର କ୍ୟାମ୍ପେନର ରହିବେ । କୌଣସି ରୋଡ଼ ଶୋ' କିମ୍ବା ବାଇକ ରାଲି ହୋଇପାରିବ ନାହିଁ । ପଥପ୍ରାନ୍ତ ବୈଠକରେ ସର୍ବାଧିକ 50 ଲୋକ ସାମିଲ ହୋଇପାରିବେ । ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ସର୍ବାଧିକ 5 ଜଣ ରହିବେ । ପ୍ରଚାର ସମୟରେ ସର୍ବାଧିକ 20 ଟି ଗାଡ଼ି ବ୍ୟବହାର ହୋଇପାରିବ ।
ଭୋଟ ଗ୍ରହଣର 3 ଦିନ ପୂର୍ବରୁ ପ୍ରଚାର ବନ୍ଦ ହେବ । 30 ତାରିଖରେ ଭୋଟ ଥିବାରୁ 27 ତାରିଖ ସନ୍ଧ୍ୟା 6 ଟାରୁ ପ୍ରଚାର ବନ୍ଦ ହେବ । ପ୍ରତି ଭୋଟରଙ୍କୁ ହ୍ୟାଣ୍ଡୱାସ ଦିଆଯିବ । ଲକ୍ଷଣ ଥିବା ଭୋଟରଙ୍କୁ ଶେଷରେ ଭୋଟ ଦେବାକୁ ଅନୁମତି ମିଳିବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଲୋହାନୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ